ଭୁବନେଶ୍ୱର,୨୩/୧(ସତ୍ୟପାଠ ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ବାକି ରହିଛି । ନିର୍ବାଚନକୁ ଆଖି ଆଗରେ ରଖି ରାଜନୈତିକ ଦଳଗୁଡିକ ଏବେ ଠାରୁ କସରତ୍‌ ଆରମ୍ଭ କରିସାରିଲେଣି । କେନ୍ଦ୍ରରେ ବିଜେପି ପୁଣି କ୍ଷମତାକୁ ଫେରିବାକୁ ପ୍ରସ୍ତୁତ କରୁଛି ବ୍ଲୁ ପ୍ରିଣ୍ଟ । ପ୍ରମୁଖ ବିରୋଧୀ କଂଗ୍ରେସ ବ୍ୟାକ୍‌ଫୁଟ୍‌ରେ ଥିବାବେଳେ ଆଞ୍ଚଳିକ ଦଳଗୁଡିକ ଟକ୍କର ଦେବାକୁ ଅଣ୍ଟା ଭିଡିଲେଣି । ୨୦୨୪ ନିର୍ବାଚନ ପୂର୍ବରୁ ରାଜନୈତିକ ସମୀକରଣ କିଛି ଏଭଳି ସଙ୍କେତ ଦେଉଛି । ଅନ୍ୟପଟେ ଲୋକସଭା ନିର୍ବାଚନ ସହ ଓଡିଶା ସମେତ ଆଉ କିଛି ରାଜ୍ୟରେ ମଧ୍ୟ ଏକକାଳୀନ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଓଡିଶାରେ ଉଭୟ ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳ ପାଇଁ ଚ୍ୟାଲେଞ୍ଜିଂ ହେବ । ଏହାରି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ବୟାନ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି । ଅର୍ଥାତ ଧର୍ମେନ୍ଦ୍ରଙ୍କ ବୟାନରୁ ସ୍ପଷ୍ଟ ଜଣାପଡୁଛି ଯେ, ବିଜେଡି ପାଇଁ ୨୪ ଲଢେଇରେ କଡା ଟକ୍କର ର ସାମ୍ନା କରିବାକୁ ପଡ଼ିବ ।

ଜାତୀୟ ଗଣମାଧ୍ୟମ ଦ ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ୨୦୨୪ ପାଇଁ ବଡ ସଙ୍କେତ ଦେଇଛନ୍ତି । ସିଧାସଳଖ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବାକୁ ସଙ୍କେତ ଦେଇଛନ୍ତି ଧର୍ମେନ୍ଦ୍ର । ଦ ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସର ସ୍ବତନ୍ତ୍ର ସାକ୍ଷାତକାରେ ପଚରାଯାଇଥିବା କିଛି ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ।

ଆପଣ ଏଥର ନିର୍ବାଚନ ଲଢିବେ କି ପ୍ରଶ୍ନରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ମୁଁ ନିର୍ବାଚନ ଲଢିବା ପାଇଁ ଦଳର ନେତୃତ୍ବଙ୍କୁ ଅନୁରୋଧ କରିସାରିଛି । ଏଥର ମୁଁ ନିର୍ବାଚନ ଲଢିବି।’ ତେବେ ବିଧାନସଭା କି ଲୋକସଭା ପ୍ରଶ୍ନରେ, କୌଣସି ଉତ୍ତର ନରଖି ହାଲକା ହସି ଚୁପ୍‌ ରହିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ଆଗାମୀ ନିର୍ବାଚନରେ ବିଜେପି ରାଜ୍ୟରେ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ କି ପ୍ରଶ୍ନର ଉତ୍ତର ରଖିଛନ୍ତି ଧର୍ମେନ୍ଦ୍ର । କହିଛନ୍ତି, ଏହାର କୌଣସି ଆବଶ୍ୟକତା ନାହିଁ । ଏଥିପାଇଁ ଦଳରେ ଅନେକ ଯୋଗ୍ୟ ଲୋକ ଅଛନ୍ତି ।ତେଣୁ ଏହାର କୌଣସି ଆବଶ୍ୟକତା ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ସୋମବାର ସମ୍ବଲପୁର ସ୍ଥିତ ଖିଣ୍ଡାରେ ଅନୁଷ୍ଠିତ ୨୧୫ତମ ଜନ୍ମ ଜୟନ୍ତୀରେ ଯୋଗ ଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ନିର୍ବାଚନ ଲଢିବା ନେଇ ଜାତୀୟ ଗଣମାଧ୍ୟମକୁ ସଙ୍କେତ ଦେବାପରେ ଖିଣ୍ଡାରେ ସାମ୍ବାଦିକଙ୍କ ପ୍ରଶ୍ନରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ‘ଲୋକସଭା ନିର୍ବାଚନ ଲଢିବି କି ବିଧାନସଭା ତାହା ଦଳ ନିଷ୍ପତ୍ତି ନେବ’। ଧର୍ମେନ୍ଦ୍ରଙ୍କ ଏଭଳି ବୟାନ ପରେ ରାଜ୍ୟ ରାଜନୀତି ସରଗରମ ।

ସୂଚନାଯୋଗ୍ୟ ଯେ, ଗତ କିଛି ବର୍ଷ ହେଲା ଧର୍ମେନ୍ଦ୍ର ସିଧାସଳଖ କୌଣସି ନିର୍ବାଚନ ଲଢ଼ି ନାହାଁନ୍ତି । ସେ ରାଜ୍ୟସଭାକୁ ନିର୍ବାଚିତ ହୋଇ ଆସୁଛନ୍ତି ଏବଂ କେନ୍ଦ୍ରରେ ମନ୍ତ୍ରୀ ପଦରେ ଅଛନ୍ତି । କନ୍ତୁ ଗତ କିଛି ଦିନ ହେବ ସେ ଏଥର ସିଧାସଳଖ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି । ଆଉ ଧର୍ମେନ୍ଦ୍ରଙ୍କ ଏହି ସୂଚନା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ଶେଷଥର ପାଇଁ ୨୦୦୪ରେ ଦେବଗଡ ସଂସଦୀୟ କ୍ଷେତ୍ରରୁ ସାଂସଦ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରି ବିଜୟୀ ହୋଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ତା’ ପୂର୍ବରୁ ୧୯୯୯ରୁ ୨୦୦୪ ଯାଏ ସେ ପାଲଲହଡାରୁ ବିଧାନସଭାକୁ ଆସିଥିଲେ । ୨୦୦୯ ପରଠାରୁ ସେ କୌଣସି ପ୍ରତ୍ୟେକ୍ଷ ନିର୍ବାଚନ ଲଢି ନାହାନ୍ତି । ଅନ୍ୟ ରାଜ୍ୟମାନଙ୍କରୁ ସେ କେବଳ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ।