ଭାରତ ଯୋଡୋ ଯାତ୍ରା; ସୁରକ୍ଷା ହଟାଇ ଦିଆଯିବାରୁ ଅଧାରୁ ଯାତ୍ରାକୁ ସ୍ଥଗିତ ରଖିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୭/୧(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସୁରକ୍ଷା ହଟାଇ ଦିଆଯିବାରୁ ଅଧାରେ ଅଟକିଯାଇଛି ଭାରତ ଯୋଡୋ ଯାତ୍ରା। କଶ୍ମୀରରେ ଏବେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଚାଲିଥିବା ବେଳେ ଆଜି ଏହାକୁ ଅଧାରୁ ସ୍ଥଗିତ ରଖିଛି କଂଗ୍ରେସ। କଂଗ୍ରେସ ଅଭିଯୋଗ କରିଛି ଯେ କଶ୍ମୀରରେ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡା ଯାତ୍ରା’ରୁ ହଠାତ୍ ସୁରକ୍ଷା ପ୍ରତ୍ୟାହାର କରାଯାଇଛି। ରାହୁଲ ଗାନ୍ଧୀ ନିଜେ ମଧ୍ୟ ଏକ ସଂକ୍ଷିପ୍ତ ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି।

ରାହୁଲଙ୍କ ଅଭିଯୋଗ ମୁତାବକ, “ଆଜି ଯାତ୍ରା ସମୟରେ ପୁଲିସର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ ଭୁଶୁଡି ପଡିଥିଲା। ବନିହଲ ଟନେଲରୁ ବାହାରିବା ପରେ ଆମେ ଆଉ ପୁଲିସ କର୍ମଚାରୀଙ୍କୁ ଦେଖିବାକୁ ପାଇନଥିଲୁ। ମୋର ସୁରକ୍ଷା କର୍ମୀ କହିଲେ ଯେ ଆମେ ଆଉ ଆଗକୁ ଯାଇ ପାରିବୁ ନାହିଁ। ଏହା ପରେ ମୋତେ ଯାତ୍ରାକୁ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପ୍ରଶାସନର ଦାୟିତ୍ବ। ହେଲେ ପ୍ରଶାସନ ନିଜ ଦାୟିତ୍ବ ତୁଲାଇ ପାରିଲା ନାହିଁ।”

ମିଳିଥିବା ସୂଚନା ମୁତାବକ, ରାହୁଲ ଗାନ୍ଧୀ ଆଜି କଶ୍ମୀରରେ ୨୦କିଲୋମିଟର ଚାଲିବେ ବୋଲି ଯୋଜନା କରିଥିଲେ। କିନ୍ତୁ ପ୍ରାୟ ଏକ କିଲୋମିଟର ଚାଲିବା ପରେ ତାଙ୍କୁ ଅଟକିବାକୁ ପଡିଥିଲା। ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ ରାହୁଲଙ୍କ ସହ ଥିଲେ। ରାହୁଲ ଗାନ୍ଧୀ ଶ୍ରୀନଗର ଅଭିମୁଖେ ଯାଉଥିବାବେଳେ ବନିହଲ ଟନେଲ ପାର ହେବା ପରେ ଆଗରେ ବହୁ ସଂଖ୍ୟାରେ ଅଜଣା ଜନତା ତାଙ୍କୁ ଅପେକ୍ଷା କରିଥିବା ଦେଖିଥିଲେ। ଏହା ସହ ତାଙ୍କ ସହିତ ଆସୁଥିବା ସ୍ଥାନୀୟ ପୁଲିସ ଟିମ୍ ମଧ୍ୟ ହଠାତ ଗାଏବ ହୋଇଯିବାରୁ ରାହୁଲ ଆଗକୁ ନବଢ଼ି ଯାତ୍ରାକୁ ସ୍ଥଗିତ ରଖିଥିଲେ ।

Related Posts