ଭୁବନେଶ୍ୱର,୩୦/୧(ସତ୍ୟପାଠ ବ୍ୟୁରୋ): ଆଜି ସକାଳୁ ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ଫାଲ୍‌ପାଦୁଠାରେ ଏକ ବସ୍‌ ଡିଭାଇଡରରେ ପିଟି ହୋଇ ହୁତୁହୁତୁ ହୋଇ ଜଳି ଯାଇଛି। ବସ୍‌ଟି ୨୦ ଯାତ୍ରୀଙ୍କୁ ଧରି ଖୋର୍ଦ୍ଧା ଜିଲ୍ଲା କୁହୁଡିଠାରେ ଥିବା ସାଇ ସେବା ସଦନ ହସ୍ପିଟାଲରୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି। ଖୋର୍ଦ୍ଧା ଜିଲ୍ଲା କୁହୁଡିଠାରେ ଥିବା ସାଇ ସେବା ସଦନ ହସ୍ପିଟାଲରେ ଆଣ୍ଠୁ ଗଣ୍ଠି ବାତରେ ପୀଡ଼ିତ ରୋଗୀଙ୍କ ଚିକିତ୍ସା କରାଯାଏ। ବିଭିନ୍ନ ଜିଲ୍ଲାରୁ ରୋଗୀଙ୍କୁ ଏଠାକୁ ଅଣାଯାଇ ମାଗଣାରେ ଚିକିତ୍ସା କରାଯାଇଥାଏ।

କିଛି ଦିନ ହେବ ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳର ପ୍ରାୟ ୨୦ ରୋଗୀଙ୍କୁ ସାଇ ସେବା ସଦନ ହସ୍ପିଟାଲ ଅଣାଯାଇ ତାଙ୍କ ଚିକିତ୍ସା କରାଯାଉଥିଲା। ସୁସ୍ଥ ହେବା ପରେ ଆଜି ରାତି ପ୍ରାୟ ୩ଟାରେ ଏକ ବସ୍‌ ଯୋଗେ ସେମାନଙ୍କୁ ହରଭଙ୍ଗା ଅଭିମୁଖେ ନିଆଯାଉଥିଲା।

ମାତ୍ର ଭୋର ପ୍ରାୟ ୫ଟା ବେଳକୁ ବସ୍‌ଟି ଫାଲ୍‌ପାଦୁଠାରେ ଯାଉଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇ ବସିଥିଲେ। ଫଳରେ ଗାଡ଼ିଟି ଏକ ଡିଭାଇଡରରେ ପିଟି ହେବା ସହ ହୁତୁହୁତୁ ହୋଇ ଜଳି ଉଠିଥିଲା। ମାତ୍ର ସ୍ଥାନୀୟ ଲୋକେ, ପୁଲିସ୍‌ ତଥା ଅଗ୍ନିଶମ କର୍ମଚାରୀ ତା’ ପୂର୍ବରୁ ବସ୍‌ରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରି ଦେଇଥିଲେ।

ଘଟଣା ପରେ ବସ୍‌ ଡ୍ରାଇଭର ଓ ହେଲପର ଫେରାର ହୋଇ ଯାଇଛନ୍ତି। ଅନ୍ୟ ଏକ ଗାଡ଼ି ବନ୍ଦୋବସ୍ତ କରାଯାଇ ସମସ୍ତ ଯାତ୍ରୀଙ୍କୁ ହରଭଙ୍ଗା ଅଭିମୁଖେ ପଠାଯାଇଛି। ଦୀର୍ଘ ସମୟର ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀ ବସ୍‌ର ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ତେବେ ବସ୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାଯାଇଛି।