ଆଜି ଶେଷ ହେବ ଭାରତ ଯୋଡ଼ୋ ଯାତ୍ରା; ଯୋଗଦେବେ ୧୨ ବିରୋଧୀ ଦଳର ନେତା

ଭୁବନେଶ୍ୱର,୩୦/୧(ସତ୍ୟପାଠ ବ୍ୟୁରୋ): ଆଜି ଶେଷ ହେବ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା। ଯାତ୍ରାର ଏହି ସମାପନ ଉତ୍ସବରେ ୧୨ ବିରୋଧୀ ଦଳର ନେତା ଯୋଗଦେବେ । କାର୍ଯ୍ୟକ୍ରମକୁ ୨୧ ଦଳଙ୍କୁ ଆମନ୍ତ୍ରଣ କରାଯାଇଥିଲା । କିନ୍ତୁ ସୁରକ୍ଷା ଦୃଷ୍ଟିକୋଣରୁ କିଛି ଦଳ ସାମିଲ ହେବାକୁ ମନାକରିଥିଲେ । ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ଟିଡିପି ଭଳି କିଛି ଦଳ କାର୍ଯ୍ୟକ୍ରମରେ ସାମିଲ ହେବେନାହିଁ । କିନ୍ତୁ ଡିଏମ୍‌କେ, ଏନ୍‌ସିପି, ଆର୍‌ଜେଡି, ସିପିଆଇ (ଏମ୍‌), ସିପିଆଇ, ପିଡିପି, ଜେଏମ୍‌ଏମ୍‌ ଭଳି ଦଳର ନେତା ଯୋଗଦେବେ । ବର୍ତ୍ତମାନ ଯାତ୍ରା ଜମ୍ମୁ-କାଶ୍ମୀରରେ ଚାଲିଛି ।

ରବିବାର ଜମ୍ମୁ-କାଶ୍ମୀରସ୍ଥିତ ଶ୍ରୀନଗର ଅନ୍ତର୍ଗତ ଲାଲ୍‌ଚୌକ୍‌ରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ସୁରକ୍ଷା କର୍ମୀଙ୍କ ଗାଡ଼ିରେ ସେ ସେଠାରେ ପହଞ୍ଚିଥିଲେ ଏବଂ ତାଙ୍କ ସହ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଉପସ୍ଥିତ ଥିଲେ । ଲାଲ୍‌ଚୌକ୍‌ରେ ତ୍ରିରଙ୍ଗା ଉଡ଼ିବା ବେଳେ ବହୁ ସଂଖ୍ୟାରେ ପୁଲିସ କର୍ମୀ ସୁରକ୍ଷା ପାଇଁ ମୁତୟନ ହୋଇଥିଲେ । ତେବେ ଜାତୀୟ ପତାକାଠାରୁ ରାହୁଲଙ୍କ ଫଟୋଚିତ୍ର ଅଧିକ ଉଚ୍ଚ ଥିବାକୁ ନେଇ ସୋସିଆଲ୍‌ ମିଡିଆରେ କ୍ଷୋଭପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମରେ ରାହୁଲଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଦଳର ନେତା ଜୟରାମ ରମେଶ, ଓମାର ଅବଦୁଲ୍ଲା, ପିଡିପି ସୁପ୍ରିମୋ ମେହବୁବା ମୁଫ୍‌ତି ସାମିଲ ହୋଇଥିଲେ । ମୁଫ୍‌ତିଙ୍କ ସହ ତାଙ୍କ ଝିଅ ଇଲ୍‌ତିଜା ମୁଫ୍‌ତିଙ୍କୁ ଦେଖିବାକୁ ମିଳିଥିଲା ।

Related Posts