ଭୁବନେଶ୍ୱର,୩୧/୧(ସତ୍ୟପାଠ ବ୍ୟୁରୋ): ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କଲା ବିଜେପି। ମୁଖ୍ୟମନ୍ତ୍ରୀ ସିବିଆଇକୁ ତୁରନ୍ତ ତଦନ୍ତ ଭାର ଦେବାକୁ ଦାବି କଲେ ବିଜେପି ସଭାପତି ସମୀର ମହାନ୍ତି। ସେ କହିଛନ୍ତି ଯେ, ହତ୍ୟା ଅଭିଯୁକ୍ତ ହେଉଛି ପୋଲିସ, ପୁଣି ତଦନ୍ତ କରୁଛି ସେହି ପୋଲିସ। ପୂର୍ବରୁ କ୍ରାଇମବ୍ରାଞ୍ଚ ଯାହା ତଦନ୍ତ କରିଛି ତାହାର ଫଳ ଶୂନ ରହିଛି। ତଦନ୍ତ ବିଳମ୍ଵ ହେଲେ ପ୍ରମାଣ ନଷ୍ଟ ହେବାର ରାସ୍ତା ପ୍ରସ୍ତୁତ ହୋଇଯିବ। ଘଟଣାକୁ ନେଇ ଏଯାଏଁ ଡିଜିପି, ଗୃହ ସଚିବ ଚୁପ୍ ବସିଛନ୍ତି। ସରକାରକୁ ପ୍ରକୃତରେ କିଏ ଚଳାଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମୀର ମହାନ୍ତି ଆହୁରି କହିଛନ୍ତି ଯେ, ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ସ୍ପଷ୍ଟ ଦିବାଲୋକରେ ଦିନ ଦ୍ଵିପ୍ରହରେ ଯେଭଳି ପୋଲିସ ଅଧିକାରୀ ଗୁଳି କରି ହତ୍ୟା କଲେ ଏହା କେବଳ ଓଡ଼ିଶାରେ ନୁହେଁ ଦେଶରେ ବି ବିରଳ। ଓଡ଼ିଶାବାସୀ ଆତଙ୍କିତ । ସରକାର ଏଠି ପଙ୍ଗୁ ହୋଇ ରହିଛି । ଦୀର୍ଘ ୨୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ରହିଛନ୍ତି । କ୍ୟାବିନେଟ ମନ୍ତ୍ରୀଙ୍କର ହତ୍ୟା ହେଉଛି ପୋଲିସ ଗୁଳି ମାରୁଛି । ତଦନ୍ତ ନେଇ କୌଣସି ମନ୍ତବ୍ୟ ରଖିଲେ ନାହିଁ, କି ପୋଲିସ ଡିଜି ଘଟଣାସ୍ଥଳକୁ ଗଲେନି । ଗୃହ ସଚିବ ବି ଚୁପ୍ । ଯେଉଁ ପୋଲିସ ଅଧିକାରୀ ହତ୍ୟା କଲେ ତାଙ୍କୁ ସରକାର ବାରମ୍ବାର ମେଡାଲ ଦେଇଛନ୍ତି । ସେ କାହିଁକି ହତ୍ୟା କଲେ ତାହା ବଡ଼ ପ୍ରଶ୍ନ ଉଠିଛି। ଜଣେ ପୋଲିସ ହତ୍ୟା କରିବ ଆଉ ଜଣେ ପୋଲିସ ତାର ତଦନ୍ତ କରିବ । ଏଥିରେ କେମିତି ବିଶ୍ଵସନୀୟତା ରହିବ ?

ନବ ଦାସ କେବଳ ଜଣେ କ୍ୟାବିନେଟ ମନ୍ତ୍ରୀ ନଥିଲେ ରାଜ୍ୟର ଜଣେ ପ୍ରଭାବଶାଳୀ ନେତା ଥିଲେ । ପଶ୍ଚିମ ଓଡ଼ିଶାରେ ତାଙ୍କର ଅଖଣ୍ଡ କ୍ଷମତା ଥିଲା । ତାଙ୍କର ଏପରି ହତ୍ୟା ହେବା ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ମୁହଁ ଖୋଲନ୍ତୁ । ବିଗତ ଦିନରେ ଅନେକ ଘଟଣାରେ ପ୍ରମାଣ ନଷ୍ଟ ହୋଇଛି । ଏଇ ଘଟଣାରେ ବି ପ୍ରମାଣ ନଷ୍ଟ କରିବା କରିବା ପାଇଁ ରାସ୍ତା ତିଆରି ହୋଇଛି । ତେଣୁ ଏହି ଘଟଣାରେ ସିବିଆଇକୁ ତୃତୀୟ ପକ୍ଷ ଭାବେ ନେଇ ତଦନ୍ତ ଭାର ଦିଅନ୍ତୁ ବୋଲି ସମୀର ମହାନ୍ତି କହିଛନ୍ତି।