ଭୁବନେଶ୍ୱର,୧/୨(ସତ୍ୟପାଠ ବ୍ୟୁରୋ): ଆଜି ସଂସଦରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ବଜେଟ୍ ରେ ଆୟକରଦାତାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ। କେନ୍ଦ୍ରର ସାଧାରଣ ବଜେଟ୍ ୨୦୨୩-୨୪ରେ ଆୟକର ଛାଡ ସୀମା ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଣିକି ବାର୍ଷିକ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିଲେ କୌଣସି ଆୟକର ଦେବାକୁ ପଡିବନି। ଏହି ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ସ୍ଲାବ ସୀମା ବୃଦ୍ଧି ଘୋଷଣା କରିଛନ୍ତି।ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି। ସେ ବ୍ୟକ୍ତିଗତ ଆୟକର ସୀମାକୁ ବୃଦ୍ଧି କରି ସାଧାରଣ ମଧ୍ୟବିତ୍ତ ବର୍ଗଙ୍କୁ ଖୁସି କରିବାକୁ ଉଦ୍ୟମ କରିଛନ୍ତି ।
ତେବେ ନୂଆ ଟିକସ ବ୍ୟବସ୍ଥା ଅନୁସାରେ ଆୟକର ଛାଡ଼ସୀମାକୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।ଏହା ଫଳର ବାର୍ଷିକ ୩ ଲକ୍ଷ ଟଙ୍କାର ଆୟକର ଉପରେ କୌଣସି ଆୟକର ଦେବାକୁ ପଡ଼ିବ ନାହିଁ । ୩ ଲକ୍ଷରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୫ ପ୍ରତିଶତ, ୬ରୁ ୯ ଲକ୍ଷ ଟଙ୍କାର ଆୟ ଉପରେ ୧୦ ପ୍ରତିଶତ, ୯ରୁ ୧୨ ଲକ୍ଷ ଟଙ୍କା ଆୟ ଉପରେ ୧୫ ପ୍ରତିଶତ ଓ ୧୨ରୁ ୧୫ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ୨୦ ପ୍ରତିଶତ ଆୟକର ପଡ଼ିବ । ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଆୟକର ଆଦାୟ ହେବ ।
ଶେଷଥର ପାଇଁ ୨୦୧୪ରେ ପରିବର୍ତ୍ତନ ହୋଇଥିଲା ଆୟକର ସୀମା
ତେବେ ଏହା ପୂର୍ବରୁ, ଗତ ବର୍ଷ ୨୦୧୪ ରେ ଶେଷଥର ପାଇଁ ଆୟକର ସୀମାରେ ପରିବର୍ତ୍ତନ ଆସିଥିଲା । ସେତେବେଳେ ଏହି ସୀମା ୨ ଲକ୍ଷ ଥିଲା, ଯାହାକୁ ୨.୫ ଲକ୍ଷକୁ ବୃଦ୍ଧି କରାଯାଇଥିଲା । ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣ ବର୍ଷର ବଜେଟ୍ ହୋଇଥିବାରୁ ସରକାର ମଧ୍ୟବିତ୍ତଙ୍କ ପାଇଁ ଆୟକର ସ୍ଲାବ୍ରେ ପରିବର୍ତ୍ତନ କରିପାରନ୍ତି ବୋଲି ଆଶା କରାଯାଉଥିବା ଏବଂ ତାହା ହିଁ ହୋଇଛି।





