ଭୁବନେଶ୍ୱର,୩/୨(ସତ୍ୟପାଠ ବ୍ୟୁରୋ): ମଦକୁ ସଂପୂର୍ଣ୍ଣ ବ୍ୟାନ କରିବା ଦାବିରେ ଆନ୍ଦୋଳନ କରୁଥିବା ବିଜେପିର ବରିଷ୍ଠ ନେତ୍ରୀ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି। ସେ ଲୋକଙ୍କୁ ସଚେତନ କରିବା ପାଇଁ ମଦ ଦୋକାନ ଆଗରେ ଗାଈ ବାନ୍ଧିଛନ୍ତି। ଏଥିସହ ସମସ୍ତଙ୍କୁ ମଦ ବଦଳରେ କ୍ଷୀର ପିଇବାକୁ ପରାମର୍ଶ ଦେଇଛନ୍ତି।
ମଧ୍ୟପ୍ରଦେଶର ଓରଚା ସହରରେ ଥିବା ଗୋଟିଏ ମଦ ଦୋକାନ ଆଗରେ ଉମା ଭାରତୀ ଏପରି କରିଛନ୍ତି।ପ୍ରଥମେ ସେ ମଦ ଦୋକାନ ଆଗରେ ପହଞ୍ଚି ଏକାଧିକ ବୁଲା ଗାଈଙ୍କୁ ସେଠାରେ ବାନ୍ଧିଥିଲେ। ଏହାପରେ ସେମାନଙ୍କୁ ନଡ଼ା ଓ ଅନ୍ୟାନ୍ୟ ଜିନିଷ ଖାଇବାକୁ ଦେଇଥିଲେ। ଏହା ଦେଖି ଲୋକଙ୍କ ଭିଡ଼ ଜମିଥିଲା। ଲୋକମାନେ ଏକାଠି ହେବା ପରେ ସେ ସମସ୍ତଙ୍କୁ ମଦ ଛାଡ଼ି ଗାଈ କ୍ଷୀର ପିଇବା ଉଚିତ ବୋଲି କହିଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ବିଜେପି ଶାସିତ ମଧ୍ୟପ୍ରଦେଶରେ ହିଁ ମଦ ପିଇବା ବିରୋଧରେ ନିଜର ଅଭିଯାନ ଜାରି ରଖିଛନ୍ତି। ଏଥିସହ ସରକାର ମଦ ପିଇବାକୁ ଆଦୌ ଉତ୍ସାହିତ ନ କରନ୍ତୁ ବୋଲି ବାରମ୍ବାର ମତ ରଖିଛନ୍ତି। ଏହିକ୍ରମରେ ସେ ଓରଚାରେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ଓରଚାରେ ଅନେକ ପ୍ରସିଦ୍ଧ ମନ୍ଦିର ରହିଛି।
ରାଜ୍ୟର ମନ୍ଦିର ସହର ଭାବେ ପରିଚିତ ଓରଚାରେ ମଦ ଦୋକାନ ସଂଖ୍ୟା ମଧ୍ୟ କମ ନୁହେଁ। ତେଣୁ ଉମା ଭାରତୀ ବିଦେଶୀ ମଦ ବିକ୍ରି ହେଉଥିବା ଗୋଟିଏ ଦୋକାନ ଆଗରେ ଗାଈ ବାନ୍ଧି ପ୍ରତିବାଦ କରିଛନ୍ତି। ସେ ମଦ ନୁହେଁ, କ୍ଷୀର ପିଅ ବୋଲି ନାରା ମଧ୍ୟ ଦେଇଛନ୍ତି। ଏହି ଘଟଣା ଏବେ ପୂରା ମଧ୍ୟପ୍ରଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।
ତେବେ ଗତବର୍ଷ ସମାନ ମଦ ଦୋକାନ ଉପରକୁ ଗୋବର ଫିଙ୍ଗି ଉମା ଭାରତୀ ପ୍ରତିବାଦ କରିଥିଲେ। ୨୦୨୨ ମାର୍ଚ୍ଚ ମାସରେ ଭୋପାଲରେ ଥିବା ଗୋଟିଏ ମଦ ଦୋକାନ ଉପରକୁ ଉମା ଓ ତାଙ୍କ ସହଯୋଗୀମାନେ ପଥର ମାଡ଼ କରିଥିଲେ। ଓରଚାର ମଦ ଦୋକାନ ଆଗରେ ଉମା ଭାରତୀ ଗାଈ ବାନ୍ଧି ପ୍ରତିବାଦ କରିଥିଲେ ହେଁ ଭୟରେ ଏହାର ସେଲସମ୍ୟାନ ଶଟର ପକାଇ ଦେଇଥିଲେ। କାଳେ ସେ ପଥର କିମ୍ବା ଅନ୍ୟ କିଛି ଜିନିଷ ଦୋକାନକୁ ଫିଙ୍ଗିବେ, ସେହି ଆଶଙ୍କାରେ ବ୍ୟକ୍ତି ଜଣଙ୍କ ଦୋକାନ ବନ୍ଦ କରି ଦେଇଥିଲେ ବୋଲି କହିଛନ୍ତି।





