ଆଦାନୀଙ୍କ ସମସ୍ତ ସମ୍ପତ୍ତିର ଜାତୀୟକରଣ କରନ୍ତୁ କେନ୍ଦ୍ର ସରକାର: ସୁବ୍ରମଣ୍ୟମ ସ୍ବାମୀ

ଭୁବନେଶ୍ୱର,୮/୨(ସତ୍ୟପାଠ ବ୍ୟୁରୋ): ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପର ସେୟାର ମୂଲ୍ୟ ହ୍ରାସ ପାଇବା ସହିତ ଜାତୀୟ ରାଜନୀତି ସରଗରମ ହୋଇଛି। ସଂସଦରୁ ରାଜ ରାସ୍ତା ଯାଏ ସବୁଠି ଆଦାନି ଗ୍ରୁପ ବିରୋଧରେ କେନ୍ଦ୍ର ସରକାରଙ୍କୁ ଘେରୁଛନ୍ତି ବିରୋଧୀ। ସଂସଦରେ ବିରୋଧୀ ଯୁଗ୍ମ ସଂସଦୀୟ କମିଟି (ଜେପିସି)ର ତଦନ୍ତ ଦାବି କରିଛନ୍ତି। ଏହି କ୍ରମରେ ଏବେ ବିଜେପିର ପୂର୍ବତନ ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ଆଦାନି ଗ୍ରୁପ ଉପରେ ବର୍ଷିଛନ୍ତି। ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି ଯେ, କେନ୍ଦ୍ର ସରକାର ଗୌତମ ଆଦାନୀଙ୍କ ସମ୍ପତ୍ତିକୁ ଜାତୀୟକରଣ କରିବା ଉଚିତ ଏବଂ ପରେ ଏହି ସମ୍ପତ୍ତି ନିଲାମ କରିବା ଆବଶ୍ୟକ। ଯେତେବେଳେ ଆଦାନୀ ମାମଲା ଏବଂ ସରକାରଙ୍କୁ ଘେରି ରହିଥିବା ବିରୋଧୀ ଦଳ ବିଷୟରେ ସ୍ବାମୀଙ୍କୁ ପଚରାଯାଇଥିଲା, ସେତେବେଳେ ସେ କହିଛନ୍ତି ମୁଁ ଚାହୁଁଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦାନୀ ଗ୍ରୁପର ସମସ୍ତ ସମ୍ପତ୍ତିକୁ ଜାତୀୟକରଣ କରନ୍ତୁ ଏବଂ ତା’ପରେ ନିଲାମରୁ ପ୍ରାପ୍ତ ଟଙ୍କା ସେହି ଲୋକଙ୍କୁ ଦିଅନ୍ତୁ ଯେଉଁମାନେ ଆଦାନୀ ଶେୟାରରେ ଖସିଯିବା କାରଣରୁ ନିଜ ନିଜର ଟଙ୍କା ହରାଇଛନ୍ତି।

ସ୍ବାମୀ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଆଦାନୀଙ୍କ ସହ ଡିଲ୍‌ କରିପାରି ନାହିଁ କିନ୍ତୁ ମୁଁ ଅନେକ କଂଗ୍ରେସ ନେତାଙ୍କୁ ଜାଣେ ଯେଉଁମାନେ ଆଦାନୀଙ୍କ ସହ କାରବାର କରନ୍ତି କିନ୍ତୁ ମୁଁ କଂଗ୍ରେସ ବିଷୟରେ ଚିନ୍ତା କରେ ନାହିଁ ମୁଁ ଚାହୁଁଛି ଯେ ଭାଜପାର ସ୍ବଚ୍ଛତା ପ୍ରମାଣିତ ହେଉ। ସାଧାରଣ ଲୋକ ମତ ଦେଇଛନ୍ତି ଯେ ମୋଦି କିଛି ଲୁଚାଉଛନ୍ତି ଏବଂ ବର୍ତ୍ତମାନ ଏସବୁ ସର୍ବ ସମ୍ମୁଖରେ ପରିଷ୍କାର ହେବା ସରକାରଙ୍କ ଦାୟିତ୍ୱ ଅଟେ। ସ୍ବାମୀଙ୍କ ମନ୍ତବ୍ୟ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ ଯେ, ଅର୍ଥନୈତିକ କାରବାରରେ ହିଣ୍ଡେନବର୍ଗ ତାର ରିପୋର୍ଟରେ ଆଦାନି ଗ୍ରୁପ ସେୟାର କାରବାରରେ ଅର୍ଥ ହେରଫେର କରିଥିବାର ଅଭିଯୋଗ ଆଣିଥିଲା। ଏହାପରେ ଆଦାନି ଗ୍ରୁପ ସେୟାର କାରବାରରେ ଅନେକ କ୍ଷତି ମଧ୍ୟ ସହୁଛି। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରୁଛନ୍ତି ଏବଂ ଏହି ମାମଲାରେ ତଦନ୍ତ କରିବାକୁ ଜେପିସି ଦାବି କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ସଂସଦରେ ହଙ୍ଗାମା ଜାରି ରହିଛି।

Related Posts