ଭୁବନେଶ୍ୱର,୧୦/୨(ସତ୍ୟପାଠ ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନକ୍ରମେ ଗୁରୁବାର ରାଜ୍ୟ ସରକାର ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀଙ୍କୁ ଓଡ଼ିଶା ମାନବାଧିକାର ଆୟୋଗ (ଓଏଚ୍ଆର୍ସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ଆଇନଜୀବୀ ଅସୀମ ଅମିତାଭ ଦାଶଙ୍କୁ ଓଡ଼ିଶା ମାନବାଧିକାର ଆୟୋଗର ସଦସ୍ୟ ଭାବେ ପୁନଃ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ସେ ୨୦୧୯ ରୁ ୨୦୨୨ ପର୍ଯ୍ୟନ୍ତ ଓଡ଼ିଶା ମାନବାଧିକାର ଆୟୋଗର ସଦସ୍ୟ ଥିଲେ।
ସୂଚନାଯୋଗ୍ୟ ଯେ, ଓଏଚ୍ଆର୍ସିର ଅଧ୍ୟକ୍ଷ ଭାବେ ଜଷ୍ଟିସ୍ ବିଜୟ କ୍ରିଷ୍ଣା ପଟେଲଙ୍କର ଗତ ଜାନୁୟାରୀ ୨୩ରେ କାର୍ଯ୍ୟକାଳ ସରିବା ପରେ ଅଧ୍ୟକ୍ଷ ପଦବି ଖାଲି ପଡ଼ିଥିଲା। ସେହିପରି ଶ୍ରୀ ଦାଶଙ୍କ କାର୍ଯ୍ୟକାଳ ସରିବା ପରେ ଆୟୋଗର ଜଣେ ସଦସ୍ୟ ପଦବି ବି ଖାଲି ପଡ଼ିଥିଲା। ନିୟମ ଅନୁଯାୟୀ ଓଏଚ୍ଆର୍ସିରେ ଜଣେ ଅଧ୍ୟକ୍ଷ ଏବଂ ଦୁଇ ଜଣ ସଦସ୍ୟ ରହିବାକୁ ଥିବାବେଳେ କେବଳ ଜଷ୍ଟିସ୍ ରଘୁବୀର ଦାଶ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ତେଣୁ ଏହି ଦୁଇ ଜଣଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି।
ଗତ ଫେବୃୟାରୀ ୪ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଜଷ୍ଟିସ୍ ପୂଜାହାରୀଙ୍କୁ ଓଏଚ୍ଆର୍ସିର ଅଧ୍ୟକ୍ଷ ଏବଂ ଆଇନଜୀବୀ ଶ୍ରୀ ଦାଶଙ୍କୁ ଓଏଚ୍ଆର୍ସିର ସଦସ୍ୟ ଭାବେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଥିଲା। ଏହାପରେ ଏହି ଦୁଇ ଜଣଙ୍କ ନାମ ରାଜ୍ୟପାଳଙ୍କୁ ସୁପାରିସ୍ କରାଯାଇଥିଲା। ରାଜ୍ୟପାଳଙ୍କ ଅନୁମୋଦନ ପରେ ଗୁରୁବାର ଆଇନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
