ହାଇଦରର ଏନକାଉଣ୍ଟର ରିପୋର୍ଟକୁ ତଲବ କଲେ ଓଡିଶା ମାନବାଧିକାର କମିସନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ସାରା ରାଜ୍ୟରେ ବର୍ତ୍ତମାନ ହାଇଦରର ମୃତ୍ୟୁକୁ ନେଇ ବେଶ ଚର୍ଚ୍ଚା ଜୋର ଧରିଛି ।  ଏପରିସ୍ଥିତିରେ ଗ୍ୟାଙ୍ଗଷ୍ଟର ହାଇଦରର ଏନକାଉଣ୍ଟର  ଘଟଣାରେ  ନିଜ ଆଡୁ  ରାଜ୍ୟ ମାନବାଧିକାର କମିସନ ହସ୍ତକ୍ଷେପ  କରିଛନ୍ତି ।  ତେବେ ଗଣମାଧ୍ୟମର ରିପୋର୍ଟକୁ  ଭିତ୍ତି କରି ଏଭଳି ପଦକ୍ଷେପ  ନିଆଯାଇଥିବାର ସୂଚନା ମିଳିଛି । 

   କେବଳ ଏତିକି ନୁହେଁ ବରଂ  ହାଇଦର ଏନକାଉଣ୍ଟର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଗୃହ ବିଭାଗ, ପୁଲିସ ଡିଜି, ଜେଲ ଡିଜି, ଟୁଇନ୍ ସିଟି କମିସନର୍,  ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ରିପୋର୍ଟ ତଲବ କରାଯାଇଛି।  

   ଏହା ସହ  ଆସନ୍ତା ସେପ୍ଟେମ୍ବର ୬ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ମାନବାଧିକାର କମିସନ୍।   ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ତାରିଖରେ ପୁଲିସ୍ ହାଇଦରକୁ ଏନ୍‌କାଉଣ୍ଟର କରିଥିଲା। ଚୌଦ୍ବାର ଜେଲରୁ ବାରିପଦା ଜେଲକୁ ନିଆଯାଉଥିବାବେଳେ ଅଧରାସ୍ତାରେ ଖସିଯିବାକୁ ହାଇଦର ଚେଷ୍ଟା କରିଥିବା ସମୟରେ ପୁଲିସ୍ ପକ୍ଷରୁ ଏଭଳି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। 

    ତେବେ  ପୁଲିସଠାରୁ ଏକେ-୪୭ ବନ୍ଧୁକ ଛଡ଼ାଇ ନେବାରୁ ଗ୍ୟାଙ୍ଗଷ୍ଟର ହାଇଦର ଉପରକୁ ଗୁଳି ଚଳାଯାଇଥିଲା ବୋଲି ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନାରେ ଦିଆଯାଇଥିବା ଏତଲାରେ ଏହା ଲେଖାଯାଇଛି।  ଏହ ଏତଲାଟି ହାଇଦରକୁ ଏସକର୍ଟ କରି ନେଉଥିବା ଥାନା ଅଧିକାରୀ  ଗଙ୍ଗାଧର ସାସେନି ସିମୁଳିଆ ଦେଇଛନ୍ତି। 

   ଏଥିରେ ଲେଖା ଯାଇଛି ଯେ, ସିମୁଳିଆରେ ପରିସ୍ରା କରିବା ପାଇଁ ହାଇଦର କହିବାରୁ ତାକୁ ନେଉଥିବା ଗାର୍ଡ, ଗୋଟିଏ ହାତର ହ୍ୟାଣ୍ଡକପ ଖୋଲିଥିଲେ। ଏହାର ସୁଯୋଗ ନେଇ ଗାର୍ଡଙ୍କଠାରୁ ଏକେ-୪୭ ବନ୍ଧୁକ ଛଡ଼ାଇ ନେଇ ପୁଲିସ ଆଡ଼କୁ ଦେଖାଇ ଧମକାଇ ଥିଲା ଗ୍ୟାଙ୍ଗଷ୍ଟର ହାଇଦର।  

   ତାକୁ ଧରିବା ପାଇଁ ପୋଲସ୍ ବାଧ୍ୟ ହୋଇ ତା ଉପରେ ଗୁଳିଚାଳନା କରିଥିଲା । ଏଥିରେ ସେ ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ବାଲେଶ୍ବର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ହିଁ ତାର ମୃତ୍ୟୁ ଘଟିଥିଲା । ତେବେ ହାଇଦର ମୃତ୍ୟୁ ନେଇ ପରିବାର ଲୋକେ ଅନେକ ଅଭିଯୋଗ ଆଣିଛନ୍ତି ।

Related Posts