ଏୟାର ଏସିଆ ଉପରେ ଡିଜିସିଏର ବଡ କାର୍ଯ୍ୟାନୁଷ୍ଠାନ, ଲାଗିଲା ୨୦ ଲକ୍ଷ ଟଙ୍କାର ଜରିମାନା

ଭୁବନେଶ୍ୱର,୧୧/୨(ସତ୍ୟପାଠ ବ୍ୟୁରୋ): ଡିଜିସିଏ ନିୟମ ଉଲ୍ଲଙ୍ଘନ କରିଥିବାରୁ ଏୟାର ଏସିଆକୁ ଲାଗିଲା ବଡ ଝଟକା । ୨୦ ଲକ୍ଷ ଟଙ୍କା ଜରିମାନା ଲଗାଇଲା ଡିଜିସିଏ । ଡିଜିସିଏ ମୁତାବକ, ଏୟାର ଏସିଆ ପାଇଲଟ ଟ୍ରେନିଂରେ ଗଡବଡ କରିଛି। ଏହା ସହିତ ପାଇଲଟଙ୍କ ପ୍ରୋଫିସିଏନ୍ସି ରେଟିଂ ଚେକ୍‌ ସମୟରେ ଅଭ୍ୟାସ କରିନାହିଁ । ତେଣୁ ଏୟାର ଏସିଆ ଉପରେ ୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ଡିଜିସିଏ ।

ଖବର ମୁତାବକ, ଡିଜିସିଏର ନିୟମ ଅନୁସାରେ କାମ ନ କରିବାରୁ ଏୟାର ଏସିଆକୁ ଲାଗିଲା ୨୦ ଲକ୍ଷ ଟଙ୍କାର ଜରିମାନା । ଏହାସହିତ ଏୟାର ଏସିଆର ଟ୍ରେନିଂ ମୁଖ୍ୟକୁ ମଧ୍ୟ ନିଜ କାର୍ଯ୍ୟ ସଠିକ୍‌ ଭାବେ ନ ତୁଲାଇବା ଅଭିଯୋଗରେ ତିନି ମାସ ପାଇଁ କାର୍ଯ୍ୟରୁ ବହିଷ୍କାର କରାଯାଇଛି । ଏହାଛଡା ୮ ଜଣ ପରୀକ୍ଷକଙ୍କ ଉପରେ ୩ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ଏଥିପାଇଁ ଡିଜିସିଏ ନୋଟିସ ମଧ୍ୟ ଜାରି କରିଛି ।

ସୂଚନାଯୋଗ୍ୟ ଯେ, ନିକଟରେ ବିମାନ ଜଡିତ ମାମଲା ବଢିବାରେ ଲାଗିଛି । ବିମାନରେ ପରିସ୍ରା କରିବା ମାମଲା ଠାରୁ ଆରମ୍ଭ କରି ଯାତ୍ରୀଙ୍କୁ ନ ନେଇ ବିମାନ ଉଡିଯିବା ମାମଲା ରହିଛି । ବିମାନରେ ପରିସ୍ରା କରିବା ଘଟଣାରେ ଏୟାର ଇଣ୍ଡିଆକୁ ୩୦ ଲକ୍ଷ ଟଙ୍କାର ଜରିମାନା କରିଥିଲା ଡିଜିସିଏ । ପାଇଲଟଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରିଥିଲା ଡିଜିସିଏ । ସେହିପରି ଗୋ ଫାଷ୍ଟର ଏକ ବିମାନ ଯାତ୍ରୀଙ୍କୁ ନ ନେଇ ଉଡାଣ ଭରିଥିଲା। ଏୟାରଲାଇନ ଛାଡି ଚାଲିଯାଇଥିବା ୫୫ ଜଣ ଯାତ୍ରୀଙ୍କୁ ବର୍ଷକ ଭିତରେ କୌଣସି ସ୍ଥାନକୁ ଟ୍ରାଭେଲ କରିବା ପାଇଁ ଗୋଟିଏ ମାଗଣା ଟିକେଟ ଦେବ । ଏହି ମାମଲାରେ ମଧ୍ୟ ଡିଜିସିଏ କଠୋର କାର୍ଯ୍ୟାନୁଷ୍ଠାନ ନେଇଥିଲା ।

Related Posts