ଭୁବନେଶ୍ୱର,୧୨/୨(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ମାନବାଧିକାର କମିଶନ (ଓଏଚଆରସି) ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିସ ରଘୁବୀର ଦାସ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି।
ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷଙ୍କ ନିୟୁକ୍ତି ପ୍ରସଙ୍ଗ ନେଇ ଜଷ୍ଟିସ୍ ରଘୁବୀର ଦାସ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ନିକଟରେ ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଜଷ୍ଟିସ୍ ରଘୁବୀର ଦାସଙ୍କ କହିବା କଥା ଓଏଚ୍ଆର୍ସିର ନୂଆ ଅଧ୍ୟକ୍ଷ ଭାବେ ଯାହାଙ୍କୁ ନିଯୁକ୍ତି ଦିଆଯାଇଛି ସେ ଓଡ଼ିଶା ହାଇକୋର୍ଟରେ ତାଙ୍କ ଜୁନିୟର ଥିଲେ। ତେଣୁ ନବ ନିଯୁକ୍ତ ଅଧ୍ୟକ୍ଷଙ୍କ ଅଧୀନରେ କାର୍ଯ୍ୟ କରିବା ପାଇଁ ତାଙ୍କୁ ତାଙ୍କ ବିବେକ ବାଧା ଦେଇଛି। ଆତ୍ମସମ୍ମାନ ଦୃଷ୍ଟିରୁ ସେ ଆଉ ଓଏଚ୍ଆର୍ସିର ସଦସ୍ୟ ଭାବେ କାର୍ଯ୍ୟ କରିପାରିବେ ନାହିଁ ବୋଲି ଜଷ୍ଟିସ୍ ରଘୁବୀର ଦାସ ରାଜ୍ୟପାଳଙ୍କୁ ପଠାଇଥିବା ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି।
ଜଷ୍ଟିସ୍ ରଘୁବୀର ଦାସ ନିଜ ଇସ୍ତଫା ପତ୍ରରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଓଏଚ୍ଆର୍ସିର ନବନିଯୁକ୍ତ ଅଧ୍ୟକ୍ଷ ନିହାତି ଭାବେ ଜଣେ ଯୋଗ୍ୟ ବ୍ୟକ୍ତି। ଏହି ଅନୁଷ୍ଠାନର ପ୍ରତିଷ୍ଠାକୁ ଆହୁରି ଉପରକୁ ନେବାକୁ ତାଙ୍କ ପାଖରେ ସମସ୍ତ ଦକ୍ଷତା ରହିଛି।
