ଭୁବନେଶ୍ୱର,୧୬/୨(ସତ୍ୟପାଠ ବ୍ୟୁରୋ): ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନାଁ ନନେଇ ଧମକ ଦେଇଛନ୍ତି ପୂର୍ବତନ ଆଇପିଏସ୍ ଅଫିସର ତଥା ବିଜେଡି ନେତା ଅରୂପ ପଟ୍ଟନାୟକ। ଜୟନାରାୟଣଙ୍କ ନାଁ ନନେଇ ଅରୂପ ପଟ୍ଟନାୟକ ଗତକାଲିର ମହିଳା ପୋଲିସ ଅଧିକାରୀ ଓ ଜୟନାରାୟଣଙ୍କ ମଧ୍ୟରେ ଧସ୍ତାଧସ୍ତି ଘଟଣାକୁ ନେଇ ଭରା ସଭାରେ ଧମକ ଦେଇଛନ୍ତି ।
ସେ କହିଛନ୍ତି ଯେ, ଏଇ ଯୋଉ ଲୋକ ଧକ୍କା ମାରିଲା, ସେ ଆମ ଭଳି ଲୋକ ହାବୁଡ଼ରେ ପଡ଼ିନାହାନ୍ତି । ନହେଲେ ତାଙ୍କ ଅବସ୍ଥା କଣ ହୋଇଥାନ୍ତା, ସେ ନିଜେ ଜାଣିଛନ୍ତି । ସେ ଲୋକଟା ଆମ ହାବୁଡ଼ରେ ପଡ଼ିନି । ଏବେ ପଡୁ, ମୁଁ ୟୁନିଫର୍ମରେ ନାହିଁ, ଅବସ୍ଥା କଣ ହେବ, ଖାଲି ହାବୁଡ଼ରେ ପଡୁ। ଗୋଟେ ଚାପୁଡା ପଡିବ ସେ ଲୋକ ସେଇଠି ଶୋଇପଡିବ । ଧକ୍କା ମାରିଲେ ଯେଉଁ ଦଫା ଲାଗିବ ତାହା ଜାମିନ ବୀହିନ । ସେ ଲୋକ ନାଁ ରେ ନନ୍ ବେଲେବୁଲ ମାମଲା ରହିଛି, କେମିତି ଭୁଲିଗଲା ବୋଲି କହିଛନ୍ତି ବିଜେଡି ନେତା ଅରୂପ ପଟ୍ଟନାୟକ।
ତେବେ ଗତକାଲି ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିଜେପିର ବିକ୍ଷୋଭ ବେଳେ ଧନୁପାଲି ମହିଳା ଥାନା ଅଧିକାରୀଙ୍କ ସହ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଠେଲାପେଲା ହୋଇଥିଲା । ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି କର୍ମକର୍ତ୍ତା ଧାରଣା କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ପୁଲିସ ଅଧିକାରୀଙ୍କୁ ଧକ୍କା ମାରିବା ଘଟଣାର ଏଭଳି ଜବାବ୍ ଦେଇଛନ୍ତି ଅରୂପ ପଟ୍ଟନାୟକ।
ଅନ୍ୟପଟେ ସେହି ଘଟଣାକୁ ନେଇ ସାରା ରାଜ୍ୟରେ ଏବେ ତେଜିବାରେ ଲାଗିଛି ବିବାଦ । ଆଜି ଏହି ପ୍ରସଙ୍ଗରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ଦିଆଯାଇଛି । ଘଟଣାରେ ଜୟନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି ମହିଳା ଶାଖା । ଖାଲି ସେତିକି ନୁହେଁ ଏପଟେ ବିଜେଡି ମହିଳା ମୋର୍ଚ୍ଚା ବିକ୍ଷୋଭ କରିଥିବା ବେଳେ ସମ୍ବଲପୁର ସର୍କିଟ ହାଉସକୁ ଧସେଇ ପଶିଥିଲେ କିଛି ବିଜେଡି କର୍ମୀ । ସର୍କିଟ ହାଉସରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଥିବା ଖବର ପାଇ ଅନେକ ବିଜେଡି କର୍ମୀ ଯାଇଥିଲେ । ସେଠାରେ ସର୍କିଟ ହାଉସ ଭଙ୍ଗାରୁଜା କରିଛନ୍ତି । ଏନେଇ ଜୟନାରାୟଣ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ବିଜେଡି ମହିଳା ଶାଖାର ଆନ୍ଦୋଳନ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର । ଜୟନାରାୟଣଙ୍କୁ ବିଧାନସଭାରେ ନ ପୁରାଇ ଦେବା ଲାଗି ଏହା ପ୍ରାୟୋଜିତ ଥିଲା ବୋଲି ସେ କହିଛନ୍ତି ।
