ଶିବସେନାର ନାମ ଓ ଚିହ୍ନକୁ ନେଇ ଉଦ୍ଧବଙ୍କ ଆବେଦନ ଉପରେ ସିନ୍ଦେ ଓ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୨୨/୨(ସତ୍ୟପାଠ ବ୍ୟୁରୋ): ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ‘ଶିବସେନା’ ଭାବେ ମାନ୍ୟତା ଦେବା ଏବଂ ତାଙ୍କ ପାଇଁ ‘ଧନୁ ତୀର’ ଚିହ୍ନ ଆବଣ୍ଟନ କରିବାକୁ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଉଦ୍ଧବ ଠାକରେଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ଏଥିସହ ଏହି ମାମଲାରେ ସୁପ୍ରିମକୋର୍ଟ ବୁଧବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ନିର୍ବାଚନ କମିଶନଙ୍କୁ ନୋଟିସ୍‌ ଜାରି କରିଛନ୍ତି।

ତେବେ, ଶିବସେନାର ସମ୍ପତ୍ତି ଓ ଆର୍ଥିକ ସ୍ଥିତିକୁ ଅକ୍ତିଆର କରିବାକୁ ସିନ୍ଦେ-ଗୋଷ୍ଠୀର ପ୍ରୟାସକୁ ରୋକିବାକୁ ସର୍ବୋଚ୍ଚ ଅଦାଲତ ମନା କରିଦେଇଛନ୍ତି। ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିଓ୍ଵାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଏହା ନିର୍ବାଚନ କମିଶନଙ୍କ ଆଦେଶ ଉପରେ ରୋକ୍‌ ଲଗାଇବା ସଦୃଶ ହେବ ଏବଂ ସେମାନେ ସେଠାରେ ସଫଳ ହୋଇଥିବାରୁ ଆମେ ତାହା କରିପାରିବୁ ନାହିଁ।

ଶୁଣାଣି ସମୟରେ ଏକନାଥ ସିନ୍ଦେ ଗୋଷ୍ଠୀ ଉଦ୍ଧବ ଠାକରେ ଶିବିରର ଆବେଦନର ବିଚାରଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇ ଯୁକ୍ତି ବାଢ଼ିଥିଲେ ଯେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନିର୍ବାଚନ ଆୟୋଗଙ୍କ ଆଦେଶ ବିରୋଧରେ ପ୍ରଥମେ ଦିଲ୍ଲୀ ହାଇକୋର୍ଟକୁ ଯିବା ଉଚିତ୍‌।

Related Posts