ଭୁବନେଶ୍ୱର,୨୩/୨(ସତ୍ୟପାଠ ବ୍ୟୁରୋ): ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସକୁ ଲାଗିଛି ଝଟକା। ଦଳ ସହ ୨୨ ବର୍ଷର ସମ୍ପର୍କ ଛିନ୍ନ କରି ସିଆର କେଶବନ ଆଜି କଂଗ୍ରେସ ଛାଡ଼ିଛନ୍ତି। କେଶବନ ହେଉଛନ୍ତି ପ୍ରଥମ ଭାରତୀୟ ଗଭର୍ଣ୍ଣନର ଜେନେରାଲ ସି ରାଜଗୋପାଲଚାରୀଙ୍କ ଅଣ ନାତି। ସେ ୨୦୦୧ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ। କିନ୍ତୁ ଏବେ ଦଳରେ ମୂଲବୋଧର ଅବକ୍ଷୟ ଘଟିଥିବାରୁ ସେ କଂଗ୍ରେସକୁ ଛାଡ଼ିଥିବା ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଲେଖିଥିବା ଚିଠିରେ କେଶବନ କିପରି ବିଦେଶରୁ ଆସି ୨୦୦୧ରେ କଂଗ୍ରେସରେ ଯୋଗ ଦେଇଥିଲେ ସେ କଥା କହିଛନ୍ତି।
କେଶବନ କହିଛନ୍ତି, ଜାତୀୟ ପରିର୍ତ୍ତନର ନୀତି ଓ ଆଦର୍ଶରେ ପରିଚାଳିତ ହେଉଥିବା ଦେଖି ମୁଁ ୨୦୦୧ରେ କଂଗ୍ରେସ ଯୋଗ ଦେଇଥିଲି। କଂଗ୍ରେସ ପାଇଁ ଦୀର୍ଘ ବର୍ଷ ଧରି କାମ ମଧ୍ୟ କରିଛି। ହେଲେ ଏବେ ଦୁଃଖର ସହ କହିବାକୁ ଚାହୁଁଛି ଯେ ମୁଁ ଆଉ ଦଳରେ କୌଣସି ମୂଲ୍ୟବୋଧ ରହିଛି ବୋଲି ଦେଖିବାକୁ ପାଉନି। ଯେଉଁ ମୂଲ୍ୟବୋଧ ନେଇ ମୁଁ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ କଂଗ୍ରେସ ପାଇଁ ଉତ୍ସର୍ଗୀକୃତ ହୋଇ କାମ କରୁଥିଲି, ସେସବୁ ଆଉ ଦେଖାଯାଉନି। ଏବେ ଦଳରେ ରହିବା ଆଉ ମୋ ପକ୍ଷେ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।
କେଶବନ ଆହୁରି କହିଛନ୍ତି ଯେ, ସେ ଅନ୍ୟ ଦଳକୁ ଯିବେ ବୋଲି ଆକଳନ କରାଯାଉଛି। କିନ୍ତୁ ଏଯାଏ ସେ କୌଣସି ଦଳର ନେତାଙ୍କ ସହ କଥା ହୋଇନାହାନ୍ତି ଓ ତାଙ୍କ ଭବିଷ୍ୟତ କ’ଣ ହେବ ବୋଲି ଜାଣି ନାହାନ୍ତି ବୋଲି ମଧ୍ୟ ସମସ୍ତଙ୍କୁ ଅବଗତ କରାଇଛନ୍ତି।





