ଭୁବନେଶ୍ୱର,୨୩/୨(ସତ୍ୟପାଠ ବ୍ୟୁରୋ): ରାଜ୍ୟର ଆଇନ ଶୃଙ୍ଖଳାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଆଜି ପୁଣି ଟାର୍ଗେଟ କରିଛି। ସରକାର ନିଜର ଦାୟିତ୍ୱ ତୁଲାଇବାରେ ବିଫଳ ହୋଇଛନ୍ତି । ନବ ଦାସ ହତ୍ୟାକାଣ୍ଡ ତଦନ୍ତର ନିରପେକ୍ଷତା ଉପରେ ପ୍ରଶ୍ନ ଉଠୁଛି। ନବ ଦାସଙ୍କ ମୃତ୍ୟୁର ସମୟ କାହିଁକି ଲୁଚାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ପୁଲିସ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର। ଆଜି ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହି କହିଛନ୍ତି ଯେ, ନବ ଦାସଙ୍କ ହତ୍ୟାକାଣ୍ଡ ସାରା ଓଡ଼ିଶାକୁ ସ୍ତବ୍ଧ କରିଛି। ଓଡ଼ିଶା ଇତିହାସରେ ଏହା ପ୍ରଥମ ଯେ ଦିନ ଦ୍ବିପ୍ରହରେ ପୁଲିସ ଏଏସ୍‌ଆଇଙ୍କ ଦ୍ଵାରା ଜଣେ ମନ୍ତ୍ରୀଙ୍କ ହତ୍ୟା ହୋଇଛି।

ବିଜେପି ନେତା ପ୍ରକାଶ ମିଶ୍ର ଆହୁରି କହିଛନ୍ତି ଯେ, ଆଜିକୁ ଏତେ ଦିନ ବିତିଗଲାଣି କିନ୍ତୁ ଆମେ ନବ ଦାସ ହତ୍ୟାକାଣ୍ଡର କୌଣସି ସ୍ପଷ୍ଟୀକରଣ ପାଇଲୁନି। ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଠିଛି, ଯାହାର ଉତ୍ତର ମିଳୁନି। କପୋଳକଳ୍ପିତ ଘଟଣା କୁହାଯାଉଛି । ତଦନ୍ତରେ ମଧ୍ୟ ସେମିତି ଦେଖବାକୁ ମିଳୁଛି। ହେଲେ କୌଣସି ନିଷ୍କର୍ଷ ମିଳୁନି। ଏଠି ଯେମିତି ଗୋଟେ ପ୍ରୟାସ ଚାଲିଛି କିପରି ଗୋପାଳକୁ ମାନସିକ ରୋଗୀ ଦର୍ଶାଯିବ ।

ସେପଟେ ମୃତ୍ୟୁ ଘୋଷଣାରେ ବିଳମ୍ବ କାହିଁକି କରାଗଲା? ମୃତ୍ୟୁ ସମୟଟି କାହିଁକି ଲୁଚାଗଲା? ବୋଲି ପ୍ରଶ୍ନ କରିବା ସହିତ ଯଦି ମୃତ୍ୟୁର ସମୟ ଲୁଚା ଯାଇଥିବ। ତେବେ କୋର୍ଟରେ ତଦନ୍ତ ରିପୋର୍ଟ ଦେଲା ବେଳେ ଆଇପିସି ୨୦୧ ଧାରା ଅନୁସାରେ ଦଣ୍ଡିତ ହେବାର ସମ୍ଭାବନା ମଧ୍ୟ ରହିଛି ବୋଲି ସେ କହିଛନ୍ତି । ‘କଜ୍ ଅଫ ଡେଥ୍’ ଏବଂ ‘ଟାଇମ୍ ଅଫ ଡେଥ୍’ କେସ୍‌ର ମୋଡ଼ ବଦଳାଇଦେବ। ଅର୍ଥାତ ମୃତ୍ୟର ସମୟ ଆଉ କାରଣ ଯଦି ସମାନ ନହୁଏ ତେବେ ଗୋପାଳ ଦାସ ନିର୍ଦ୍ଦୋଷରେ ଖଲାସ ହୋଇପାରେ। ଗୁଳି ଯଦି ନବ ଦାସଙ୍କ ଛାତିରେ ବାଜିଥିଲା ତା’ହେଲେ ମୃତ୍ୟୁ କେମିତି ସନ୍ଧ୍ୟାବେଳେ ହେଲା। କୁହାଯାଉଛି ଗୁଳି ତାଙ୍କ ହାର୍ଟକୁ ଭେଦ କରି ବାହାରି ଯାଇଛି। ଏଭଳି ସ୍ଥଳେ ସଙ୍ଗେ ସଙ୍ଗେ ବ୍ୟକ୍ତିର ମୃତ୍ୟୁ ହେବ ତାହେଲେ ଭୁବନେଶ୍ୱର ରେ ରାତି ୮ଟାରେ ତାଙ୍କୁ କିଭଳି ମୃତ ଘୋଷଣା କରାଗଲା ତାର ସ୍ପଷ୍ଟୀକରଣ ନରଖିପାରିଲେ ଆଇପିସିର ଧାରା ୨୦୧ରେ ଦୋଷୀ ଦଣ୍ଡିତ ହେବା ସମ୍ଭାବନା ଅଛି। ଅନ୍ୟପକ୍ଷରେ ଯଦି ସନ୍ଧ୍ୟାବେଳେ ନବ ଦାସଙ୍କ ମୃତ୍ୟୁ ହୋଇଛି ତେବେ ତାହା ଗୋପାଳର ଗୁଳିରୁ ହୋଇ ନଥିବା ପ୍ରମାଣ ମଧ୍ୟ କରାଯାଇପାରେ। ଏହି କାରଣରୁ ଗୋପାଳ ନିର୍ଦୋଷରେ ଖଲାସ ହୋଇପାରେ।

ଗୋପାଳର ନାର୍କୋ ଟେଷ୍ଟ ହୋଇଛି, ଯେଉଁଥିରେ ତାକୁ ନିଶାଦ୍ରବ୍ୟ ଦେଇ ତା’ଠାରୁ କଥା ବାହାର କରାଯାଇଥିବ। କିନ୍ତୁ ସେ କ’ଣ କହିଲା ତାହା ମଧ୍ୟ ଲୋକଲୋଚନକୁ ଆସୁନାହିଁ। କ’ଣ ତଦନ୍ତ ହେଉଛି କେତେଦୂର ତଦନ୍ତ ଗଲାଣି ତାହା ବି ସାମ୍ନାକୁ ଆସୁନାହି। ତେଣୁ ସରକାର ଏ ସମ୍ପର୍କରେ ତୁରନ୍ତ ମୁହଁ ଖୋଲନ୍ତୁ। କେତେବେଳେ ମୃତ୍ୟୁ ହେଲା? ବିଭିନ୍ନ ତଦନ୍ତରୁ କ’ଣ ସବୁ ସ୍ପଷ୍ଟ ହେଲାଣି? ସେ ସବୁ ସରକାର ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର।