ଭୁବନେଶ୍ୱର,୪/୩(ସତ୍ୟପାଠ ବ୍ୟୁରୋ): ଏପ୍ରିଲ ପହିଲାରୁ ବିନା ହଲମାର୍କର ସୁନା ଗହଣା ବିକ୍ରି ମନା । ୟୁନିକ୍ ଆଇଡେଣ୍ଟିଫିକେସନ ବିନା ହୋଇପାରିବନି ବିକ୍ରି । ୬ ସଂଖ୍ୟା ବିିଶିଷ୍ଟ ଏଚୟୁଆଇଡି ନମ୍ବର ଥିବା ସୁନା ବିକ୍ରି ପାଇଁ ଅନୁମତି । ଏଚ୍ୟୁଆଇଡି ହେଉଛି ଏକ ସ୍ବତନ୍ତ୍ର ପରିଚୟ ନମ୍ବର। ସୁନା ହଲ୍ମାର୍କିଂ ହେଉଛି ଶୁଦ୍ଧତାର ଏକ ସାର୍ଟିଫିକେସନ୍ । ୨୦୨୧ ଜୁନ୍ ୧୬ ପର୍ଯ୍ୟନ୍ତ ସୁନା ହଲ୍ମାର୍କିଂ ସ୍ବେଚ୍ଛାଧୀନ ଥିଲା । ଏହାକୁ ପର୍ଯ୍ୟାୟକ୍ରମେ ବାଧ୍ୟତାମୂଳକ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଦେଶର ୨୫୬ଟି ଜିଲ୍ଲାରେ ସୁନା ହଲ୍ମାର୍କିଂକୁ ବାଧ୍ୟତାମୂଳକ କରାଯାଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ ଆଉ ୩୨ଟି ଜିଲ୍ଲାକୁ ସେଥିରେ ସାମିଲ କରାଯିବାରୁ ମୋଟ ୨୮୮ ଜିଲ୍ଲାରେ ତାହା ଲାଗୁ ହୋଇଛି । ଆଉ ୫୫ଟି ଜିଲ୍ଲାରେ ଏହାକୁ ବାଧ୍ୟତାମୂଳକ କରିବା କାର୍ଯ୍ୟ ଜାରି ରହିଛି ।
ହଲ୍ମାର୍କ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ନିକଟରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ । ଭାରତୀୟ ମାନକ ବ୍ୟୁରୋର ବିଭିନ୍ନ କାର୍ଯ୍ୟକ୍ରମର ସେ ସମୀକ୍ଷା ମଧ୍ୟ କରିଥିଲେ । କ୍ଷୁଦ୍ର ସଂସ୍ଥାରେ ଗୁଣାତ୍ମକ ମାନ ସଂସ୍କୃତିର ପ୍ରସାର କରିବା ଲାଗି ବିଭିନ୍ନ ଉତ୍ପାଦ ସାଟିର୍ଫିକେସନ ସ୍କିମ୍ରେ ସେମାନଙ୍କୁ ସାର୍ଟିଫିକେସନ୍ ଓ ସର୍ବନିମ୍ନ ମାର୍କିଂ ଫି’ ଉପରେ ୮୦ ପ୍ରତିଶତ ରିହାତି ଦେବାକୁ ନିଷ୍ପତ୍ତି ନିଆଯାଇଛି ।





