କଂଗ୍ରେସ ନେତା ପବନ ଖେଡ଼ାଙ୍କ ଅନ୍ତରୀଣ ଜାମିନ ଅବଧିକୁ ପୁଣି ବୃଦ୍ଧି କଲେ ସୁପ୍ରିମକୋର୍ଟ

ଭୁବନେଶ୍ଵର,୪/୩(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ‌ଥିବା କଂଗ୍ରେସ ନେତା ପବନ ଖେଡ଼ାଙ୍କ ଜାମିନ ଅବଧିକୁ ପୁଣି ବୃଦ୍ଧି କରିଛନ୍ତି ସୁପ୍ରିମକୋର୍ଟ। ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ତାଙ୍କ ଅନ୍ତରୀଣ ଜାମିନ ଅବଧିକୁ ବୃଦ୍ଧି କରାଯାଇଛି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ପି.ଏସ୍‌. ନରସିଂହ ଏବଂ ଜେ.ବି. ପର୍ଡିୱାଲାଙ୍କ ଖଣ୍ଡପୀଠ ଶୁଣାଣି ପାଇଁ ମାର୍ଚ୍ଚ ୧୭କୁ ଧାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଗିରଫଦାରୀରୁ ବର୍ତ୍ତିବା ପାଇଁ କଂଗ୍ରେସ ନେତା ପବନ ଖେଡ଼ାଙ୍କୁ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ଅନ୍ତରୀଣ ଜାମିନ ଅବଧିକୁ ବୃଦ୍ଧି କରିଥିଲେ। ଗତ ଫେବୃଆରୀ ୨୩ ଦିନ କଂଗ୍ରେସ କହିଥିଲା ଯେ, କଂଗ୍ରେସ ଅଧିବେଶନରେ ଯୋଗ ଦେବାକୁ ରାୟପୁର ଯାଉଥିବା ବେଳେ ବରିଷ୍ଠ ନେତା ପବନ ଖେଡ଼ାଙ୍କୁ ଜବରଦସ୍ତି ବିମାନରୁ ଓହ୍ଲାଇ ଦିଆଯାଇଥିଲା। କଂଗ୍ରେସ ଆହୁରି ମଧ୍ୟ କହିଥିଲା ଯେ, ଖେଡ଼ାଙ୍କୁ ଆସାମ ପୁଲିସ ଗିରଫ କରିଛି।

ଖେଡ଼ାଙ୍କୁ ଗିରଫ କରାଯିବା ପରେ ସୁପ୍ରିମ୍‌ କୋର୍ଟରେ ତାଙ୍କ ଗିରଫଦାରି ମାମଲାର ତୁରନ୍ତ ଶୁଣାଣି କରାଯାଇଥିଲା। ବରିଷ୍ଠ ଆଡ୍‌ଭୋକେଟ୍‌ ଅଭିଷେକ ମନୁ ସାଙ୍ଘୱି ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠଙ୍କୁ କହିଥିଲେ ଯେ, ଦେଇଥିବା ବିବୃତି ଲାଗି ଖେଡ଼ା ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିବେ।

ସୂଚନାଯୋଗ୍ୟ ଯେ, ଶ୍ରୀ ଖେଡା ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ ଗୌତମ ଆଦାନୀ ପ୍ରସଙ୍ଗ ଉଠାଇ ଜେପିସି ତଦନ୍ତ ଦାବି କରିଥିଲେ। ସେ କହିଥିଲେ ଯେ “ଯଦି ନରସୀମା ରାଓ ଜେପିସି ଗଠନ କରିପାରିବେ, ଯଦି ଅଟଳ ବିହାରୀ ବାଜପେୟୀ ଜେପିସି ତଦନ୍ତ କରିପାରିବେ, ତେବେ ନରେନ୍ଦ୍ର ଗୌତମ ଦାସ ମୋଦି କାହିଁକି ଜେପିସି ତଦନ୍ତ କରି ପାରିବେ ନାହିଁ। ସରି, ଦାମୋଦର ଦାସ ମୋଦିଙ୍କ ଜେପିସି ତଦନ୍ତରେ ସମସ୍ୟା କ’ଣ?” ଏପରି କି ମୋଦିଙ୍କ ମଧ୍ୟମ ନାଁ କ’ଣ ବୋଲି ସେ ତାଙ୍କର ଜଣେ ସହଯୋଗୀଙ୍କୁ ସ୍ମିତ ହାସ୍ୟ ଦେଇ ପଚାରିଥିଲେ।

Related Posts