ଭୁବନେଶ୍ଵର,୬/୩(ସତ୍ୟପାଠ ବ୍ୟୁରୋ): ଲାଲୁ ଯାଦବଙ୍କୁ ସିବିଆଇର ସମନ। ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ଲାଲୁ ଯାଦବଙ୍କୁ ସମନ ଜାରି କରିଛି । ଆସନ୍ତାକାଲି ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟାଳୟରେ ଲାଲୁଙ୍କୁ ହାଜର ହେବାକୁ କୁହାଯାଇଛି । ଲାଲୁଙ୍କୁ ସମନ୍ ଜାରି ହେବା ପୂର୍ବରୁ ସିବିଆଇ ସୋମବାର ଲାଲୁଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କୁ ତାଙ୍କ ବାସଭବନରେ ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରିଥିଲା ।
ସୂଚନା ଅନୁସାରେ, ଜମି ବଦଳରେ ରେଲୱେରେ ଚାକିରି ଦେବା ମାମଲାରେ ସିବିଆଇ ରାବ୍ରି ଦେବୀଙ୍କୁ ପଚରାଉଚରା କରିଛି । ଯାହାକୁ ନେଇ ରାବ୍ରି ପ୍ରତିକ୍ରିୟା ଦେଇ କହିଛନ୍ତି, ସିବିଆଇ ଆସିଲା ତ କଣ କରିବ ? ଆମ ଘରକୁ ଏଠି ସବୁବେଳେ ସିବିଆଇ ଆସିଥାଏ ।
ଏହି ମାମଲାରେ କୋର୍ଟ ଲାଲୁ ଯାଦବ, ରାବଡ଼ି ଦେବୀ, ମିସା ଭାରତୀଙ୍କ ସହ ୧୪ ଜଣଙ୍କୁ ସମନ ଜାରି କରି ମାର୍ଚ୍ଚ ୧୫ ତାରିଖରେ କୋର୍ଟରେ ହାଜର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତା ପୂର୍ବରୁ ଲାଲୁଙ୍କୁ ସିବିଆଇ ଜେରା ପାଇଁ ଡାକିବା ବିହାର ରାଜନୀତିରେ ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି ।
ସୂଚନାଯୋଗ୍ୟ ଯେ, ଚାକିରି ବଦଳରେ ଜମି ମାମଲା ୧୪ ବର୍ଷ ପୁରୁଣା । ଲାଲୁ ଯାଦବ କେନ୍ଦ୍ର ରେଳ ମନ୍ତ୍ରୀ ଥିବା ବେଳେ ଏହି ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା । ଦାବି ଅନୁସାରେ, ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଲାଲୁ କେନ୍ଦ୍ର ସରକାରରେ ରେଳ ମନ୍ତ୍ରୀ ଥିବା ବେଳେ ଚାକିରି ଦେବା ଲାଗି ଲଞ୍ଚରେ ଅନେକ ଜମି ନେଇଥିଲେ ।





