ପାକିସ୍ତାନରେ ପୁଲିସ ଗାଡ଼ିକୁ ଟାର୍ଗେଟ କରି ଆତ୍ମଘାତୀ ହମଲା, ୯ ପୁଲିସ କର୍ମଚାରୀ ମୃତ

ଭୁବନେଶ୍ଵର,୬/୩(ସତ୍ୟପାଠ ବ୍ୟୁରୋ): ପୁଣି ଆତଙ୍କବାଦୀଙ୍କ ଆତ୍ମଘାତୀ ହମଲାରେ ଥରି ଉଠିଛି ପାକିସ୍ତାନ। ଦେଶର ଦକ୍ଷିଣପଶ୍ଚିମ ଭାଗରେ ଆଜି ଆତଙ୍କବାଦୀମାନେ ଏକ ପୁଲିସ୍‌ ଗାଡ଼ିକୁ ଟାର୍ଗେଟ କରି ଆତ୍ମଘାତୀ ହମଲା କରିଛନ୍ତି। ଏହି ହମଲାରେ ୯ ଜଣ ପୁଲିସ୍‌ କର୍ମଚାରୀ ପ୍ରାଣ ହରାଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି।

ଏହି ହମଲା ନେଇ ବରିଷ୍ଠ ପୁଲିସ୍‌ ଅଧିକାରୀ ଅବଦୁଲ ହାଏ ଆମୀର କହିଛନ୍ତି, ଆତ୍ମଘାତୀ ହମଲାକାରୀ ଜଣକ ଗୋଟିଏ ବାଇକରେ ଆସିଥିଲା। ସେ ପୁଲିସ୍‌ କର୍ମଚାରୀଙ୍କୁ ନେଇ ଯାଉଥିବା ଟ୍ରକକୁ ଟାର୍ଗେଟ କାରି ଧକ୍କା ଦେଇଥିଲା। ଟ୍ରକ୍‌ ସହ ବାଇକର ଧକ୍କା ହେବାରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା।

ଏଥିରେ ୯ ଜଣ ପୁଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି। ପୁଲିସ ପାର୍ଟି ସପ୍ତାହେ ହେଲାଣି ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ଗୋଟିଏ କାର୍ଯ୍ୟକ୍ରମର ସୁରକ୍ଷା ଦାୟିତ୍ୱରେ ଥିଲେ। ସେଠାରୁ କ୍ୟାମ୍ପକୁ ଫେରିବା ବେଳେ କାଚି ଜିଲ୍ଲାର ମୁଖ୍ୟ ସହର ଧାଦରରେ ଏପରି ଘଟଣା ଘଟିଛି। ବିସ୍ଫୋରଣରେ ଆହତ ୧୬ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସେ ସୂଚନା ଦେଇଛନ୍ତି।

ଏହି ଆତ୍ମଘାତୀ ହମଲା ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି। ତେବେ ବାଲୁଚ ବିଚ୍ଛିନ୍ନତାବାଦୀ ଓ ସ୍ଥାନୀୟ ଆତଙ୍କବାଦୀଙ୍କ ହାତ ଏହା ପଛରେ ଥିବା କୁହାଯାଉଛି। କାରଣ ପୂର୍ବରୁ ଘଟିଥିବା ଏପରି ଘଟଣା ପଛରେ ଏମାନଙ୍କ ହାତ ଥିବା ଜଣାପଡ଼ିଥିଲା।

Related Posts