ଭୁଷଣ୍ଡପୁର ବାଣ ବିସ୍ଫୋରଣ ପରେ ଆକ୍ସନରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ; ୧୭ ସ୍ଥାନରେ ଚଢାଉ, ୬୨ କେଜି ବିସ୍ଫୋରକ ଜବତ

ଭୁବନେଶ୍ଵର,୭/୩(ସତ୍ୟପାଠ ବ୍ୟୁରୋ): ଭୁଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା ପରେ ଏବେ ଆକ୍ସନ ମୁଡ୍‌ରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ। ବିଳମ୍ବରେ ହେଲେ ମଧ୍ୟ ଏହାକୁ ନେଇ ପ୍ରଶାସନ ଭିତରେ ଚେତା ପଶିଛି। ପ୍ରଶାସନ ପକ୍ଷରୁ ଘଟଣା ପରଠୁ ଏପର୍ଯ୍ୟନ୍ତ ପ୍ରାୟ ୧୭ଟି ସ୍ଥାନରେ ଚଢାଉ କରାଯାଇ ୬ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୭ଟି ପୃଥକ ପୃଥକ ମାମଲା ରୁଜୁ କରାଯାଇଛି। ଏହା ସହ ୬୨ କିଲୋଗ୍ରାମର ବିସ୍ଫୋରକ ଜବତ ହୋଇଛି।

ଏନେଇ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଖୋର୍ଦ୍ଧା ଏସପିଙ୍କ ଠାରୁ ଆରମ୍ଭ କରି ଅତିରିକ୍ତ ଏସ.ପି., ଏସ.ଡି.ପି.ଓ, ତହସିଲଦାର, ବିଡ଼ିଓ ଓ ବିଭିନ୍ନ ଥାନା ଅଧିକାରୀ ସାମିଲ ହୋଇଛନ୍ତି । ବେଆଇନ୍ ବାଣ ପ୍ରସ୍ତୁତକାରୀ ଉପରେ ଚଢ଼ାଉ କରିବା ପାଇଁ ରାଜସ୍ଵ ବିଭାଗ ଓ ପୋଲିସକୁ ନେଇ ଏକ ଟିମ୍ ଗଠନ କରାଯାଇଛି। ଆଜି ଦୋଳ ଉତ୍ସବ ଥିବାବେଳେ ବିଭିନ୍ନ ଦୋଳ ମେଳଣରେ ବାଣ ଫୁଟାଇବା ଉପରେ ରୋକ୍ ଲଗାଇବାକୁ ନେଇ ତହସିଲଦାର ଏବଂ ପୋଲିସକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ସବୁଜ ବାଣର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related Posts