ଭୁବନେଶ୍ଵର,୭/୩(ସତ୍ୟପାଠ ବ୍ୟୁରୋ): ମୋ ବାପାଙ୍କ ଚରିତ୍ରକୁ ନେଇ ରାଜନୀତି କରାନଯାଉ। ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଆଜି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଦେଇଥିବା ବୟାନକୁ ନେଇ ପ୍ରତିକ୍ରିୟା ରଖି ଏହା କହିଛନ୍ତି ନବ ଦାସଙ୍କ ଝିଅ ଦୀପାଲି ଦାସ।
ଦୀପାଲି କହିଛନ୍ତି ଯେ, ଆପଣ କଂଗ୍ରେସର ଜଣେ ବରିଷ୍ଠ ନେତା। ମୁଁ ଆପଣଙ୍କୁ ବହୁତ ସମ୍ମାନ କରେ। ମୋ ବାପା ଆପଣଙ୍କର ଜଣେ ବହୁତ ବଡ଼ ସହଯୋଗୀ ଥିଲେ। ମୋ ବାପାଙ୍କ ସହିତ ଆପଣଙ୍କର ଘନିଷ୍ଠ ସଂପର୍କ ଥିଲା। କିନ୍ତୁ ଆପଣ ମୋ ବାପାଙ୍କ ଚରିତ୍ର ଉପରେ ଗଣମାଧ୍ୟମରେ ଯେଉଁ ମନ୍ତବ୍ୟ ରଖିଛନ୍ତି, ତାହା ମୋତେ ଓ ମୋ ପରିବାରକୁ ବହୁତ ଆଘାତ ଦେଇଛି। ଆମ ସଂସ୍କୃତି ଅନୁସାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଚରିତ୍ର ଉପରେ ଆଙ୍ଗୁଳି ଉଠାଯାଏ ନାହିଁ।
ସେ ଆହୁରି କହିଛନ୍ତି ଯେ, ଆପଣ ଜଣେ ବରିଷ୍ଠ ଓକିଲ। ମୁଁ ବିନମ୍ରତାର ସହିତ କହିବାକୁ ଚାହୁଁଛି ଯେ ଯଦି ମୋ ବାପାଙ୍କ ହତ୍ୟାକାଣ୍ଡକୁ ନେଇ ଆପଣଙ୍କ ପାଖରେ କୌଣସି ପ୍ରକାର ତଥ୍ୟ ଅଛି, ତା’ହେଲେ ଆପଣ ସେଗୁଡ଼ିକୁ କୋର୍ଟରେ ଦାଖଲ କରନ୍ତୁ ବା ପୁଲିସ୍କୁ ଦିଅନ୍ତୁ। ଆପଣ ଏହା ନ କରି କାହିଁକି ମୋ ବାପାଙ୍କ ଚରିତ୍ର ଉପରେ ଆଙ୍ଗୁଳି ଉଠାଉଛନ୍ତି ଓ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଉଛନ୍ତି। ଏ ସବୁ ଜିନିଷ ଆପଣଙ୍କୁ ଶୋଭା ଦେଉନି। ମୁଁ ଝିଅ ହିସାବରେ ଆପଣଙ୍କୁ ଅନୁରୋଧ କରୁଛି ଯେ ମୋ ବାପାଙ୍କ ଚରିତ୍ର ଉପରେ ଆଉ ଏପରି କଥା କୁହନ୍ତୁ ନାହିଁ।
ସୂଚନାଯୋଗ୍ୟ ଯେ, ଆଜି କଂଗ୍ରେସ ନେତା ନରସିଂହ ମିଶ୍ର ନବ ଦାସ ହତ୍ୟାକାଣ୍ଡ ପଛରେ ଅଭିଯୁକ୍ତ ଗୋପାଳ ର ବ୍ୟକ୍ତିଗତ ଶତ୍ରୁତା ଦିଗକୁ ଉଠାଇଥିଲେ। ସେ କହିଥିଲେ, ମୋ ପାଖରେ ଯାହା ତଥ୍ୟ ଅଛି, ଚାକିରୀ ପାଇଁ ଗୋପାଳ ଦାସ ତାର ଝିଆରୀକୁ ନେଇ ନବ ବାବୁଙ୍କ ପାଖକୁ ଯାଉଥିଲେ। ସେତେବେଳ କ’ଣ ଅଘଟଣ ନ ଘଟିଥାଇ ପାରେ ବୋଲି କିଏ କହିବ? ନବ ବାବୁଙ୍କ ନାଁରେ ପୂର୍ବରୁ ଅନେକ କଥା ଶୁଣିବାକୁ ମିଳିଛି। ଦେହାନ୍ତ ପରେ ଏହା କହିବା ଉଚିତ ହେବ ନାହିଁ। ଏଥିପାଇଁ ଗୋପାଳ ର ପରିବାର ଲୋକେ ଷଡଯନ୍ତ୍ର କରିଥାଇ ପାରନ୍ତି ନବଙ୍କୁ ହତ୍ୟା କରିବା ପାଇଁ ଗୋପାଳ ଝିଆରୀକୁ ପଚାର ଉଚୁରା କଲେ ସ୍ପଷ୍ଟ ଜଣାପଡ଼ିବ ବୋଲି ସେ କହିଥିଲେ।





