ଭୁବନେଶ୍ୱର,୧୪/୩ (ସତ୍ୟପାଠ ବ୍ୟୁରୋ): ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ସମୟରେ ସମ୍ବଲପୁର କୋର୍ଟ ପରିସରରେ ଭଙ୍ଗାରୁଜା ଘଟଣାରେ ଆଇନଜୀବୀଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇଲେ ବାର କାଉନସିଲ ଅଫ ଇଣ୍ଡିଆ। ସମ୍ବଲପୁର ଓକିଲ ସଂଘର ୫୪ ସଦସ୍ୟଙ୍କ ଉପରୁ ନିଲମ୍ବନ ଆଦେଶ ହଟାଯାଇଛି। ଏହାସହିତ ସମସ୍ତ ଓକିଲଙ୍କୁ ୧୦ ଦିନ ମଧ୍ୟରେ ଅଣ୍ଡରଟେକିଂ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଭବିଷ୍ୟତରେ ଆଉ ଏପରି ଘଟଣାରେ ସାମିଲ ନହେବାକୁ ସର୍ତ୍ତ ରଖାଯାଇଛି। ଏହାସହିତ ସଂପୃକ୍ତ ଓକିଲଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଜିଲ୍ଲା ଜଜ୍ଙ୍କୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ, ସମ୍ଵଲପୁର ଆଇନଜୀବୀଙ୍କ ଆନ୍ଦୋଳନ ଘଟଣାରେ ବାର କାଉନସିଲ ଅଫ ଇଣ୍ଡିଆର କଡା ଆଭିମୁଖ୍ୟ ଗ୍ରହଣ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବାର କାଉନସିଲ୍ ଅଫ ଇଣ୍ଡିଆ ସମ୍ବଲପୁର ବାରର ୫୪ ଜଣ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କରିଥିଲେ। ଆନ୍ଦୋଳନରେ ସାମିଲ୍ ଓକିଲଙ୍କ ଦେଢ ବର୍ଷ ପାଇଁ ଲାଇସେନ୍ସ ସସପେଣ୍ଡ କରିଥିଲା ବାର କାଉନସିଲ୍ ଅଫ ଇଣ୍ଡିଆ।
ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଏବଂ ଭାରତୀୟ ଓ ରାଜ୍ୟ ଆଇନଜୀବୀ ପରିଷଦର ମନୋମୁଖୀ ତଥା ଓକିଲ ଦମନ ନୀତିରେ ଓକିଲ ସଂଘ ଗତ ଡିସେମ୍ବରରେ ସତ୍ୟାଗ୍ରହ କରିଥିଲେ । କୋର୍ଟ କଚେରୀ ବର୍ଜନ କରି ଓକିଲ ସଂଘ ସତ୍ୟାଗ୍ରହରେ ବସିଥିଲେ। ପରେ ଏହି ଆନ୍ଦୋଳନ ହିଂସାତ୍ମକ ହୋଇ ଉଠିଥିଲା। ପୋଲିସ୍ ଏବଂ ଆଇନଜୀବୀ ମଧ୍ୟର ଧସ୍ତାଧସ୍ତି ହେବା ସହ ଉତ୍ତ୍ୟକ୍ତ ଆଇନଜୀବୀ କୋର୍ଟ ପରିସରରେ ବ୍ୟାପକ ଭଙ୍ଗାରୁଜା କରିଥିଲେ।





