ଭୁବନେଶ୍ୱର,୧୪/୩ (ସତ୍ୟପାଠ ବ୍ୟୁରୋ): କଂଗ୍ରେସକୁ ଟାର୍ଗେଟ କଲେ ଆସାମ ମୁଖ୍ୟମନ୍ତ୍ରୀ । ଲଣ୍ଡନରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ବର୍ଷିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ଯେତେ ଦିନ ଯାଏଁ ନରେନ୍ଦ୍ର ମୋଦି ଅଛନ୍ତି, ସେତେଦିନ ଯାଏଁ ରାହୁଲ ଗାନ୍ଧୀ କେବେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ବୋଲି କର୍ଣ୍ଣାଟକର କନକଗିରିରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ଯାତ୍ରାରେ ଏପରି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଭାରତରେ ‘ଭାରତ ଯୋଡ଼’ ଯାତ୍ରା କରୁଛନ୍ତି । ହେଲେ ଦେଶ ବାହାରେ ମାନେ ଲଣ୍ଡନରେ ଯାଇ ‘ଭାରତ ତୋଡ଼’ ଯାତ୍ରା କରୁଛନ୍ତି । ଯେତେବେଳ ସେ (ରାହୁଲ ଗାନ୍ଧୀ ) କର୍ଣ୍ଣାଟକରେ ଭାରତ ଯୋଡ଼ ଯାତ୍ରା କରୁଥିଲେ । ସେତେବେଳେ ମୁଁ ତାଙ୍କୁ ପ୍ରଶ୍ନ କରିଥିଲି କି ୧୯୪୭ରେ ଭାରତକୁ କିଏ ବିଭାଜନ କରିଥିଲା ? । ବିଦେଶରେ ଯାଇ ଭାରତକୁ ଅପମାନିତ କରିଛନ୍ତି ରାହୁଲ ଗାନ୍ଧୀ । କିନ୍ତୁ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ ସମୟରେ ମାତୃଭୂମିର ପ୍ରଂଶସା କରିଥାନ୍ତି । ସବୁବେଳେ ଦେଶର ବିକାଶ ଓ ପ୍ରଗତି ବିଷୟରେ କହିଥାନ୍ତି । ରାହୁଲ ଗାନ୍ଧୀ ଦେଶ ବାହାରେ ଭାରତ ସଂସଦକୁ ଅପମାନିତ କରିଛନ୍ତି । ଏଠାରୁ ମୁଁ ଏକ କଥା କହିରଖୁଛି ଯେ, ଯେତେ ଦିନ ଯାଏଁ ନରେନ୍ଦ୍ର ମୋଦି ଥିବା , ସେତେ ଦିନ ଯାଏଁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ।
ସେହିପରି କର୍ଣ୍ଣାଟକରେ ଚାଲିଥିବା ଏହି ଯାତ୍ରା ସମୟରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଆହୁରୀ ଏକ କଥା ମଧ୍ୟ କହିଛନ୍ତି । ତାଙ୍କ ମତରେ, ଏବେ ଆମକୁ ଆଉ ବାବ୍ରି ମସ୍ଜିଦ୍ ଦରକାର ନାହିଁ । ଆମକୁ ଏବେ ପୁରା ରାମ ଜନ୍ମଭୂମି ଦରକାର ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଲଣ୍ଡନରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ସଂସଦ ଜୋରଦାର ହଙ୍ଗାମା ହୋଇଥିଲା । କେନ୍ଦ୍ର ସରକାରଙ୍କ ଅନେକ ମନ୍ତ୍ରୀ ଓ ବିଜେପିର ସାଂସଦ ମାନେ ରାହୁଲ ଗାନ୍ଧୀ ଭାରତର ନ୍ୟାୟପାଳିକା, ସେନା ଏବଂ ସଂସଦକୁ ବିଦେଶରେ ଅପମାନିତ କରିଛନ୍ତି ବୋଲି କହିବା ସହିତ ସେ ଦେଶକୁ କ୍ଷମା ମାଗିବା ଉଚିତ ବୋଲି ଦାବି କରିଥିଲେ।
ସେପଟେ ରାହୁଲ ଗାନ୍ଧୀଙ୍କ ସପକ୍ଷରେ ବାହାରିଥିଲେ କଂଗ୍ରେସ । ରାଜ୍ୟସଭାରେ ରାହୁଲ ଗାନ୍ଧୀଙ୍କ ନାମ ନେବାକୁ ନେଇ ବିରୋଧରେ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ।





