ରାଜଧାନୀରେ ଆନ୍ଦୋଳନ ପାଇଁ ମିଳିଲାନି ଅନୁମତି, ପ୍ରତିବାଦରେ ଆଜିଠୁ ୟୁନିଫର୍ମ ବର୍ଜନ କରିବେ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର,୧୬/୩ (ସତ୍ୟପାଠ ବ୍ୟୁରୋ): ବାରମ୍ବାର ମିଳିଛି ପ୍ରତିଶ୍ରୁତି ହେଲେ ବାହାରି ପାରୁନି ଶିକ୍ଷକଙ୍କ ଆନ୍ଦୋଳନର ସମାଧାନ ବାଟ । ଅତୀତରେ ଅନେକ ବିକ୍ଷୋଭ, ସମାବେଶ ଓ ପ୍ରତିବାଦ କରିବା ପରେ ମଧ୍ୟ ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି ରାଜ୍ୟ ସରକାର । ଏମିତିକି ବୁଧବାର ପ୍ରତିବାଦ ସଭା କରିବା ପାଇଁ ମଧ୍ୟ ଭୁବନେଶ୍ବରରେ ଅନୁମତି ମିଳିନାହିଁ। ଏସବୁ ଭିତରେ ବର୍ତ୍ତମାନ ସଂଘ ପକ୍ଷରୁ ନୂତନ ଧରଣର ପ୍ରତିବାଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଶିକ୍ଷକଙ୍କୁ ଆନ୍ଦୋଳନ କରିବାକୁ ନଦିଆଯିବାରୁ ଅଭିନବ ଉପାୟ ଆପଣାଇଛି ସଂଘ । ଆଜିଠାରୁ ପ୍ରାଥମିକ ଶିକ୍ଷକ/ଶିକ୍ଷୟିତ୍ରୀମାନେ ୟୁନିଫର୍ମ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି । ବିନା ୟୁନିଫର୍ମରେ ସ୍କୁଲରେ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଡ୍ୟୁଟି କରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହାସହିତ ଆନ୍ଦୋଳନ ପାଇଁ ପୋଲିସରୁ ଅନୁମତି ମିଳି ନଥିବାରୁ ସଂଘ କ୍ଷୋଭ ପ୍ରକାଶ କରିଛି ।

ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘକୁ ଆନ୍ଦେଳନ ପାଇଁ ଅନୁମତି ନମିଳିବା ପରେ ଗତକାଲି ବିଧାନସଭାରେ ଗଣଶିକ୍ଷା ମନ୍ତୀ ସମୀର ରଞ୍ଜନ ଦାସଙ୍କ ସହ ବୈଠକ ବସିଥିଲା। ଏହାପରେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଯଦିଓ ସଂଘ ନିଷ୍ପତ୍ତି ନେଇଛି। ହେଲେ ୟୁନିଫର୍ମ ମାନିବ ନାହିଁ ବୋଲି ସଂଘ କହିଛି। ଦାବି ପୂରଣନହେବା ଯାଏ ଶିକ୍ଷକମାନେ ୟୁନିଫର୍ମ ପିନ୍ଧିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ସେହିପରି ମଧ୍ୟାହ୍ନ ଭୋଜନ ରୋଷେଇରେ ଶିକ୍ଷକମାନେ ସହଯୋଗ କରିବେ ନାହିଁ ବୋଲି କହିଛନ୍ତି।

ବୁଧବାର ଭୁବନେଶ୍ୱରରେ ୩ ଦଫା ଦାବି ନେଇ ବିକ୍ଷୋଭ କରିବାକୁ ସ୍ଥାନୀୟ ପୁଲିସ ଅନୁମତି ନଦେବା ପରେ ମହାସଙ୍ଘର ଷ୍ଟିୟରିଂ କମିଟି ସ୍ମାର୍ଟ ସିଟିର ପ୍ରଦର୍ଶନୀ ପଡ଼ିଆରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ତେବେ ଦାବି ପୂରଣ ନହେବା ଯାଏ ଅନେକ ସରକାରୀ କାର୍ଯ୍ୟରେ ସହଯୋଗ ନକରିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି।

ଜବାବରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏପରି ନକରିବାକୁ ନିବେଦନ କରିଛନ୍ତି। ହେଲେ ପ୍ରାଥମିକ ଶିକ୍ଷକଙ୍କ କହିବାନୁସାରେ, ୟୁନିଫର୍ମ ପାଇଁ ସରକାର ଟଙ୍କାଟିଏ ଦେଉନାହାନ୍ତି ବୋଲି ଦର୍ଶାଇ ସେ ପର୍ଯ୍ୟନ୍ତ ଡ୍ରେସ୍-କୋଡ୍ ମଧ୍ୟ ବର୍ଜନ କରିବେ। ତେବେ ଏ ନେଇ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇ ଚିନ୍ତା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ୬ ବର୍ଷର ଚୁକ୍ତି କାଳକୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରି ୬ଟି ଇନକ୍ରିମେଣ୍ଟ ପ୍ରଦାନ ସହ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ କରିବାକୁ ସଂଘ ଦାବି କରିଛି।

ଶିକ୍ଷକମାନେ ମଧ୍ୟାହ୍ନ ଭୋଜନ ରୋଷେଇ ନେଇ ଅଭିଯୋଗ କରିଛନ୍ତି ଯେ, ଗତ ୬ ମାସ ହେଲା ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ଟଙ୍କା ନ ମିଳିଲେ ମଧ୍ୟ ସେମାନେ ନିଜେ ପରିଚାଳନା କରୁଛନ୍ତି। ମହାସଙ୍ଘର ଷ୍ଟିଅରିଂ କମିଟିର ସଦସ୍ୟ ରଞ୍ଜନ ମହାନ୍ତି କହିଛନ୍ତି, ଯେପର୍ଯ୍ୟନ୍ତ ସରକାର ଏଥିପାଇଁ ଟଙ୍କା ବୟବରାଦ ନ କରିଛନ୍ତି, ସେଯାଏଁ ଆମେ ନିଜେ କୌଣସି ମଧ୍ୟାହ୍ନ ଭୋଜନ ପାଇଁ ସହଯୋଗ କରିବୁ ନାହିଁ ବୋଲି ନିଷ୍ପତ୍ତି ନେଇଛୁ।

ସେ କହିଛନ୍ତି, ଆମେ ଗଣତାନ୍ତ୍ରିକ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛୁ। କିନ୍ତୁ ଶେଷ ମୁହୂର୍ତ୍ତରେ ପ୍ରଶାସନ ଆମକୁ ଆମର ଅଧିକାରରୁ ବଞ୍ଚିତ କରିଥିଲା। ଏମିତି ଶିକ୍ଷକ ଅଛନ୍ତି ଯେଉଁମାନେ ଦୂରଦୂରାନ୍ତରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ ଏବଂ ଅନୁମତି ନମିଳିବା ସମ୍ପର୍କରେ ଜାଣିନଥିଲେ। ତେଣୁ ଆମେ ପ୍ରଦର୍ଶନୀ ପଡ଼ିଆରେ ଏକତ୍ରିତ ହୋଇ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଛୁ ବୋଲି ରଞ୍ଜନ ମହାନ୍ତି କହିଛନ୍ତି।

ଆମେ ସବୁବେଳେ ସରକାରଙ୍କୁ ସହଯୋଗ କରିବାକୁ ଚେଷ୍ଟା କରିଥିଲୁ। କୋଭିଡ୍ ସମୟରେ ମଧ୍ୟ ଆମେ ନିଜ ଜୀବନକୁ ବିପଦରେ ପକାଇ କଠିନ ପରିଶ୍ରମ କରିଛୁ। କିନ୍ତୁ ଏବେ ଆଉ ନୁହେଁ। ଯଦି ସରକାର ଆମ ଦାବି ପ୍ରତି ଧ୍ୟାନ ନଦିଅନ୍ତି ତେବେ ଆମେ ମଧ୍ୟ ସରକାରଙ୍କ ସହ ସହଯୋଗ କରିବା ବନ୍ଦ କରିଦେବୁ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରାଥମିକ ବିଦ୍ୟାଳୟରେ ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ସହ ୩ ଦଫା ଦାବି ନେଇ ବୁଧବାର ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ଦେବାକୁ ଯୋଜନା କରିଥିଲେ ରାଜ୍ୟର ୧.୫ ଲକ୍ଷରୁ ଅଧିକ ଶିକ୍ଷକ। ପୁରୁଣା ପେନସନ ଯୋଜନାରେ ସାମିଲ୍ ଓ ଗ୍ରେଡ୍ ପେ ହିସାବରେ ଦରମା ଦାବି ରଖିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ।

Related Posts