ଓଡ଼ିଶାରେ ୧୪ଟି ସାମୁଦ୍ରିକ ବନ୍ଦର ପାଇଁ ସ୍ଥାନ ନିରୂପଣ ହୋଇଛି; ବିଧାନସଭାରେ ସୂଚନା ଦେଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ବର୍ତ୍ତମାନ ସୁଧା ଗୋଟିଏ ବି ଅନ୍ତର୍ଜାତୀୟ ଜଳପଥ ବନ୍ଦର ନାହିଁ । ତେବେ ୧୪ଟି ସାମୁଦ୍ରିକ ବନ୍ଦର ପାଇଁ ସ୍ଥାନ ନିରୂପଣ ହୋଇଛି ବୋଲି ଆଜି ବିଧାନସଭାରେ ରାଜ୍ୟରେ ବନ୍ଦର ପ୍ରସଙ୍ଗରେ ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ।

୧୪ଟି ସାମୁଦ୍ରିକ ବନ୍ଦର ପାଇଁ ଚିହ୍ନଟ କରାଯାଇଥିବା ସ୍ଥାନ ମଧ୍ୟରୁ ଧାମରା ଓ ଗୋପାଳପୁରଠାରୁ ଦୁଇଟି ଅଣବୃହତ ବନ୍ଦର କାର୍ଯ୍ୟକ୍ଷମ ଅଛି। ସୁବର୍ଣ୍ଣପୁର ଓ ଅସ୍ତରଙ୍ଗ ମୁହାଣରେ ବନ୍ଦର କାମ ଚାଲିଛି। ବାକି ୧୦ରୁ ବାଲେଶ୍ୱର ଜିଲ୍ଲାର ବିଚିତ୍ରପୁର, ଚାନ୍ଦିପୁର, ଇଞ୍ଚୁଡ଼ି, ଭଦ୍ରକ, ପୁରୀ ଓ ଗଞ୍ଜାମରେ ଅଣବୃହତ ବନ୍ଦର ନିର୍ମାଣ ହେବ। ଏଥିପାଇଁ IIT ମାଡ୍ରାସ ସହ ୧୬ କୋଟି ୮୫ ଲକ୍ଷ ୪୦୦ ଟଙ୍କାର ଚୁକ୍ତି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ କେନ୍ଦ୍ରାପଡ଼ା ମହାକାଳପଡ଼ା ମହାନଦୀ ନିକଟରେ ନଦୀଭିତ୍ତିକ ବନ୍ଦର ପାଇଁ ପ୍ରସ୍ତାବ ଦିଆଯାଇଛି। ଏଥିପାଇଁ WAPCOS ସର୍ଭେ ପାଇଁ କୁହାଯାଇଥିବା ବେଳେ ୭୪କୋଟି ଟଙ୍କା ବ୍ୟୟବରାଦ ହୋଇଛି । ରାଜ୍ୟ ସରକାର କେବଳ ଲିଜ୍ ସୂତ୍ରରେ ଜମି ଯୋଗାଇ ଦେଉଥିବା ବେଳେ ଉଭୟ ସରକାରୀ ଓ ଘରୋଇ ସଂସ୍ଥା ସହଯୋଗରେ ଏହିସବୁ କାର୍ଯ୍ୟ ଜାରି ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

Related Posts