ବସ ମାଲିକ ସଂଘର ଚେତାବନୀ: ସନ୍ଧ୍ୟା ସୁଦ୍ଧା ସରକାର ଡ୍ରାଇଭରଙ୍କ କବଳରୁ ରାସ୍ତାକୁ ମୁକ୍ତ ନ କଲେ ରାଜ୍ୟରେ ବନ୍ଦ ହେବ ବସ ଚଳାଚଳ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ସନ୍ଧ୍ୟା ସୁଦ୍ଧା ଯଦି ଆନ୍ଦୋଳନକାରୀ ରାଜ ରାସ୍ତାରୁ ନ ଉଠନ୍ତି ତାହାଲେ ଆସନ୍ତାକାଲି ଠାରୁ ରାଜ୍ୟରେ ବସ୍ ଚଳାଚଳ ବନ୍ଦ ହେବ । ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଏଭଳି ଚେତାବନୀ ଦିଆଯାଇଛି।

ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ଏକ ସାମ୍ବାଦିକ ସମ୍ମିଳନୀ‌ରେ କହିଛନ୍ତି, ଆନ୍ଦୋଳନକାରୀ ଡ୍ରାଇଭର ରାସ୍ତାରେ ଆମ ଗାଡ଼ି ଚାଳକ ଓ ବସ୍ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଛନ୍ତି। ଏଭଳି ପରିସ୍ଥିତିରେ ଆମେ କଣ ଆଉ କରିବୁ? ଆଜି ସନ୍ଧ୍ୟା ସୁଦ୍ଧା ସରକାର ଯଦି ଆନ୍ଦୋଳନକାରୀ ଡ୍ରାଇଭରଙ୍କ କବଳରୁ ରାସ୍ତାକୁ ମୁକ୍ତ ନ କରନ୍ତି, ତେବେ କାଲି ଠାରୁ ରାଜ୍ୟରେ ବସ୍ ଚଳାଚଳ ବନ୍ଦ କରିବୁ ଏହାସହିତ କାଲି ଦିନ ୧୦ ଟାରୁ ୧୧ ଟା ଏକ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ରାଜପଥ ଉପରେ ବସ ଛିଡ଼ା କରି ଆମେ ପ୍ରତିବାଦ ପ୍ରଦର୍ଶନ କରିବୁ। ଆମେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବୁ। ଏହାପରେ ଯଦି ସରକାର କିଛି ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମେ ବସ ଚଳାଇବୁ ନାହିଁ। ୮ ହଜାର ବସ ମାଲିକଙ୍କର ୧୪ ହଜାର ବସ ବନ୍ଦ ରହିବ ବୋଲି ସେ କହିଛନ୍ତି।

ସେପଟେ ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ସଭାପତି ଲୋକନାଥ ପାଣି କହିଛନ୍ତି, ବସ ଚଳାଇବା ପାଇଁ ପୁଲିସର ସହଯୋଗ ଆଦୌ ମିଳୁନାହିଁ। ଡ୍ରାଇଭର ସଂଘର ଦାବିକୁ ନେଇ ଆମର କୌଣସି ଆପତ୍ତି ନାହିଁ। ହେଲେ ଆନ୍ଦୋଳନକାରୀ ଯାତ୍ରୀବାହୀ ବସ ଯାତାୟାତକୁ ବିରୋଧ କରିବା ଅନୁଚିତ ବୋଲି ସେ କହିଛନ୍ତି।

Related Posts