୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ବିଜେଡି ସୁପ୍ରିମୋ; ବବିଙ୍କୁ ସର୍ବାଧିକ ୪, ଅତନୁ ଓ ଦିବ୍ୟ ଶଙ୍କରଙ୍କ ୨ଟି ଲେଖାଏଁ ଜିଲ୍ଲାର ଦାୟିତ୍ଵ

ଭୁବନେଶ୍ୱର,୨୭/୩ (ସତ୍ୟପାଠ ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲାସ୍ତରରେ ସାଙ୍ଗଠନିକ ସ୍ଥିତି ସୁଦୃଢ କରିବାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୩୦ ଜିଲ୍ଲାରେ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛନ୍ତି। ଏହି ତାଲିକାରେ ୯ ମନ୍ତ୍ରୀ ସାମିଲ ରହିଛନ୍ତି। ଅନେକ ବିଧାୟକଙ୍କୁ ବି ଦାୟିତ୍ୱ ମିଳିଛି। ତେବେ ଦଳର ସଙ୍ଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ ସର୍ବାଧିକ ୪ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ଵ ମିଳିଛି। ତାଙ୍କୁ ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁରର ଦାୟିତ୍ୱ ଦିଆଯାଇଛି। ସେହିଭଳି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଗଜପତି ଏବଂ ରାୟଗଡ଼ା ଦାୟିତ୍ୱ ଦିଆଯାଇଛି। ସେହିଭଳି କୋରାପୁଟ ଓ ମାଲକାନାଗିରି ଜିଲ୍ଲା ପାଇଁ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ଵ ମିଳିଛି।

ସେହିପରି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ବାଲେଶ୍ୱର ଦାୟିତ୍ୱ ମିଳିଛି। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ କଟକ, ପ୍ରମିଳା ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା, ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପୁରୀ, ପ୍ରୀତିରଞ୍ଜନ ଘଡ଼ାଇକୁ ସୁନ୍ଦରଗଡ଼, ପ୍ରଦୀପ ଅମାତଙ୍କୁ ଗଞ୍ଜାମ ଓ ଅଶୋକ ପଣ୍ଡାଙ୍କୁ ଯାଜପୁର,ବଲାଙ୍ଗୀର ପାଇଁ ସୁଧୀର ସାମଲ, ଭଦ୍ରକ ପାଇଁ ପ୍ରତାପ ଜେନା, ଦେବଗଡ଼ ପାଇଁ ଅମରେଶ ଜେନା, ଜଗତସିଂହପୁର ପାଇଁ ଅରୁଣ କୁମାର ସାହୁ, କନ୍ଧମାଳ ପାଇଁ ବିଜୟ ନାୟକ, ଖୋର୍ଦ୍ଧା ପାଇଁ ରବୀନ୍ଦ୍ର କୁମାର ଜେନା, ନବରଙ୍ଗପୁର ପାଇଁ ଈଶ୍ୱର ପାଣିଗ୍ରାହୀ ଏବଂ ନୟାଗଡ଼ ପାଇଁ ପଦ୍ମନାଭ ବେହେରାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ମିଳିଛି।

ସେହିପରି କଳାହାଣ୍ଡି ପାଇଁ ପ୍ରଣବ ବଳବନ୍ତରାୟ, ସ୍ନେହାଙ୍ଗିନୀ ଛୁରିଆଙ୍କୁ ନୂଆପଡ଼ା, ପ୍ରଦୀପ୍ତ କୁମାର ଅମାତଙ୍କୁ ଗଞ୍ଜାମ, ସୌଭାଗ୍ୟ ନାୟକଙ୍କୁ ବୌଦ୍ଧ, ସାରଦା ପ୍ରସାଦ ନାୟକଙ୍କୁ ଝାରସୁଗୁଡ଼ା, ପ୍ରଶାନ୍ତ ମୁଦୁଲିଙ୍କୁ ସମ୍ବଲପୁର ଏବଂ ଦେବେଶ ଆଚାର୍ଯ୍ୟଙ୍କୁ ସୁବର୍ଣ୍ଣପୁର ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

Related Posts