ଭୁବନେଶ୍ୱର,୨୮/୩ (ସତ୍ୟପାଠ ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଅଙ୍କକଷା ଆରମ୍ଭ କଲେଣି। ନିର୍ବାଚନକୁ ଆଉ ଏକ ବର୍ଷରୁ କମ୍ ସମୟ ଥିବା ବେଳେ ଶାସକ ବିଜୁ ଜନତା ଦଳ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବାରେ ଲାଗିପଡ଼ିଛି। ଏସବୁ ମଧ୍ୟରେ ଆଜି ୩୦ଟି ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି ବିଜୁ ଜନତା ଦଳ। ତେବେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସର୍ବାଧିକ ୪ଟି ଜିଲ୍ଲା ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ତେବେ ବିଜେଡି ସଂଗଠନ ସଂପାଦକଙ୍କୁ ୪ ଜିଲ୍ଲାର ଦାୟିତ୍ୱ ମିଳିବା ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ପାଇଁ ନୁହେଁ ବରଂ ଖଣି ଅଞ୍ଚଳରୁ ଦଳୀୟ ପାଣ୍ଠି ସଂଗ୍ରହ ପାଇଁ ତାଙ୍କୁ ଦାୟିତ୍ବ ଦିଆଯାଇଛି।
ଜୟ କହିଛନ୍ତି ଯେ, ସେ ତ ଜଣେ କ୍ରୀତଦାସ । ସେ କଣ କରିବେ । ମୋତେ ଲାଗୁନାହିଁ ତାଙ୍କୁ ସଂଗଠନ ପାଇଁ ଦାୟିତ୍ବ ଦିଆଯାଇଛି । ଯେଉଁ ଜିଲ୍ଲା ଗୁଡିକର ଦାୟିତ୍ବ ଦିଆଯାଇଛି, ସେହି ଜିଲ୍ଲା ଗୁଡିକ ହେଉଛି ଖଣି ସମ୍ପଦ ପରିପୂର୍ଣ୍ଣ ଜିଲ୍ଲା । ତେଣୁ ଖଣି ଖାଦନରୁ କିଭଳି ଦଳୀୟ ପାଣ୍ଠି ସଂଗ୍ରହ ହୋଇପାରିବ ସେଥିପାଇଁ ତାଙ୍କୁ ଦାୟିତ୍ବ ଦିଆଯାଇଛି । ସେଥିପାଇଁ ବିଜେପି ଆଦୌ ଚିନ୍ତିତ ନୁହେଁ । ଖଣି ଖାଦାନ ଓ ଶିଳ୍ପରୁ କେମିତି ପଇସା ଅସୁଲ କରାଯିବ, ଆଗକୁ ନିର୍ବାଚନ ଆସୁଛି ସେଥିରେ ଖର୍ଚ୍ଚ କରାଯିବ ସେହି ଯୋଜନାରେ ତାଙ୍କୁ ଦାୟିତ୍ବ ଦିଆଯାଇଛି ।
ବିଜେଡିକୁ ଟାର୍ଗେଟ କରି ଜୟ କହିଛନ୍ତି, ସରକାର ଦୁର୍ନୀତିରେ ବୁଡି ରହିଛି । ସବୁ କ୍ଷେତ୍ରରେ ଦୁର୍ନୀତି ହୋଇଛି । ଯେତେ ଦୁର୍ନୀତି ହୋଇଛି, ଏଠି ସିବିଆଇ ଇଡି ଆସିବା କଥା । ଆଗକୁ ଆସିପାରେ ମଧ୍ୟ । ବହୁ ଚର୍ଚ୍ଚିତ ବ୍ଲାକରୋଜ ପ୍ରସଙ୍ଗ ଉଠାଇ ଜୟ କହିଛନ୍ତି, ଏହି ପ୍ରସଙ୍ଗର ମାମଲା ବନ୍ଦ ହୋଇନାହିଁ । ଆଗକୁ ଖୋଲିପାରେ ମଧ୍ୟ । ବିଜେଡି ପାଖରେ ତିନୋଟି ଶକ୍ତି ଅଛି । ଅର୍ଥବଳ, ବାହୁବଳ ଓ ସରକାରୀ କଳ। ତାଙ୍କ ପାଖରେ ଲୋକ ସମର୍ଥନ ନାହିଁ । ଅର୍ଥବଳ, ବାହୁବଳ ଓ ସରକାରୀ କଳକୁ ବ୍ୟବହାର କରି ବିଜେଡି ନିର୍ବାଚନ ଜିତୁଛି । ତାକୁ କେମିତି ପ୍ରତିରୋଧ କରାଯିବ ଆମେ ଯୋଜନା କରୁଛୁ ବୋଲି ଜୟ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୨୪ ସାଧାରଣ ନିର୍ବାଚନ ପାଇଁ ଉଭୟ ବିଜେପି ଓ ବିଜେଡି ପ୍ରସ୍ତୁତି ଜୋରଦାର କରିଛନ୍ତି । ଗୋଟିଏ ପଟେ ବିଜେପିର ନୂତନ ରାଜ୍ୟ ସଭାପତି ଦାୟିତ୍ଵ ନେବା ପରେ ଚଳଚଞ୍ଚଳ ହୋଇପଡିଛି ରାଜ୍ୟ କାର୍ଯ୍ୟାଳୟ । ସବୁ ନେତୃବୃନ୍ଦ ଏକାଠି ହୋଇ ରୁଦ୍ଧଦ୍ବାର ବୈଠକ କରୁଛନ୍ତି । ଗତ ରବିବାର ବିଜେପିର ସମ୍ବର୍ଦ୍ଧନା ସଭାରେ ନେତୃବୃନ୍ଦ ମାନେ ଯେଉଁ ଭଳି ଭାବେ ଭାଷଣ ଦେଲେ ସେଥିରୁ ଅନୁମାନ କରାଯାଉଥିଲା ବିଜେପି ପୁରା ଜୋଶ ଫେରିପାଇଛି । ସେପଟେ ଗତକାଲି ବିଜେଡି ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି । ଯାହାକୁ ନେଇ ରାଜ୍ୟ ରାଜନୀତି ପୁରା ସରଗରମ ହୋଇ ଯାଇଛି ।





