ଭୁବନେଶ୍ୱର,୨୮/୩ (ସତ୍ୟପାଠ ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ଏବେ କଂଗ୍ରେସ ଦେଶବ୍ୟାପି ବିରୋଧ ପ୍ରଦର୍ଶନ କରୁଛି। ଏହାରି ମଧ୍ୟରେ ଦେଶର ସମସ୍ତ ବିଜେପି ବିରୋଧୀ ଦଳକୁ ଏକାଠି କରି ମୋଦୀ ସରକାରଙ୍କୁ ଘେରିବାକୁ ଚେଷ୍ଟା ଯୋଜନା କରୁଛି କଂଗ୍ରସ। ଏହି କ୍ରମରେ ଗତକାଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ୧୭ଟି ବିରୋଧୀ ରାଜନୈତିକ ଦଳ ଏକାଠି ହୋଇଥିଲେ। ତେବେ ଏହି ବୈଠକରେ କଂଗ୍ରେସର ଅନ୍ୟତମ ସହଯୋଗୀ ଉଦ୍ଧବ ଠାକରେଙ୍କ ଦଳରୁ କୌଣସି ପ୍ରତିନିଧି ଯୋଗ ଦେଇନଥିଲେ। ସବରକରଙ୍କୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ବିବାଦୀୟ ବୟାନକୁ ବିରୋଧ କରି ଉଦ୍ଧବ ଠାକରେ ଏହି ବିରୋଧୀ ସାମୁଖ୍ୟ ରୁ ଦୂରେଇ ଯାଇଛନ୍ତି।
ସୂତ୍ର ଅନୁସାରେ ଏହି ବୈଠକରେ ଉଦ୍ଧବ ଠାକରେ ଉପସ୍ଥିତ ନଥିଲେ ମଧ୍ୟ ତାଙ୍କର ପତିଆରା ଦେଖିବାକୁ ମିଳିଥିଲା। ଅନ୍ୟ ସମସ୍ତ ୧୭ ଦଳ ନିଷ୍ପତି ନେଇଥିଲେ ଯେ, ଆଗକୁ ବୀର ସବରକରଙ୍କ ଉପରେ ମନ୍ତବ୍ୟ ଦେବାରୁ ଦୁରେଇ ରହିବେ। ନିକଟରେ ସବରକରଙ୍କ ଉପରେ ରାହୁଲ ଗାନ୍ଧୀ ମନ୍ତବ୍ୟକୁ ନେଇ ଉଦ୍ଧବ ଠାକରେ ଅସନ୍ତୋଷ ବ୍ୟକ୍ତ କରିଥିଲେ, ଯେଉଁଥି ପାଇଁ ଗତକାଲି ସେ ଏହି ବୈଠକରେ ଆସି ନଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଦେଇଥିବା ବିବାଦୀୟ ବୟାନ ପାଇଁ ରାହୁଲ ଗାନ୍ଧିଙ୍କୁ ଦୁଇ ବର୍ଷ ଜେଲ୍ ହେବା ପରେ ରାହୁଲ ଗାନ୍ଧୀ କହିଥିଲେ, ‘ମୋ ନାଁ ସବରକର ନୁହେଁ, ମୁଁ ଗାନ୍ଧୀ ଆଉ ମୁଁ କେବେ କ୍ଷମା ମାଗିବି ନାହିଁ।’
ତେବେ ରାହୁଲ ଗାନ୍ଧୀଙ୍କ ଏହି ବୟାନ ପରେ ଉଦ୍ଧବ ଠାକରେଙ୍କ ଦଳ ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରି ମହାରାଷ୍ଟ୍ରରେ ବିରୋଧୀ ଗଠବନ୍ଧନରୁ ଓହରି ଯିବାକୁ କହିଥିଲା। ଏହା ସହିତ ଦଳ ପକ୍ଷରୁ କୁହାଯାଇଥିଲା ଯେ, ‘ସବରକର ଆମର ଆଦର୍ଶ, ତାଙ୍କର ଅପମାନ ବରଦାସ୍ତ କରାଯିବ ନାହିଁ’। ଉଦ୍ଧବ ଠାକରେ ଏନେଇ କହିଥିଲେ, ‘ମୁଁ ରାହୁଲ ଗାନ୍ଧୀଙ୍କୁ କହିବାକୁ ଚାହେଁ ଯେ ଆମେ ଏକାଠି ହୋଇଛୁ, ଏହା ଠିକ୍। ଏହି ଦେଶରେ ଗଣତନ୍ତ୍ର ଏବଂ ସମ୍ବିଧାନକୁ ବଞ୍ଚାଇବା ପାଇଁ ଆମେ ଏକାଠି ହୋଇଛୁ, କିନ୍ତୁ ରାହୁଲ ଏଭଳି କୌଣସି ବିବୃତ୍ତି ଦିଅନ୍ତୁ ନାହିଁ ଯାହା ଏକ ବିବାଦ ସୃଷ୍ଟି କରିବ।’
ତେବେ ସୂତ୍ର ଅନୁସାରେ, ଗତକାଲି ର ଡିନର ମିଟିଂ ସମୟରେ କଂଗ୍ରେସ ସୂଚାଇ ଦେଇଛି ଯେ ଏହା ସମାନ ଦଳର ଭାବନାକୁ ମନେ ରଖିବ। ଏହି ବୈଠକରେ ରାହୁଲ ଗାନ୍ଧୀ ତାଙ୍କ ମା ସୋନିଆ ଗାନ୍ଧୀଙ୍କ ସହ ଉପସ୍ଥିତ ଥିଲେ।ଏହି ବୈଠକରେ କଂଗ୍ରେସ ବ୍ୟତିତ ଅନ୍ୟ ୧୭ ରାଜନୈତିକ ଦଳ ଯୋଗ ଦେଇଥିଲେ । ଏଥିରେ ଡିଏମ୍କେ, ଶରଦ ପାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି), ଜେଡିୟୁ, ବିଆରଏସ୍, ଆରଏସ୍, ସିପିଏମ୍, ସିପିଆଇ, ଆମ ଆଦମୀ ପାର୍ଟି, ଏମ୍ଡିଏମ୍କେ, ଟିଏମ୍ସି, ଆର୍ଏସ୍ପି, ଆର୍ଜେଡି, ନ୍ୟାସନାଲ କନଫରେନ୍ସ,ଆଇୟୁଏମ୍ଏଲ, ବହୁଜନ ସମାଜବାଦୀ ପାର୍ଟି, ସମାଜବାଦୀ ପାର୍ଟି ଭଳି ଦଳର ନେତା ଉପସ୍ଥିତ ଥିଲେ ।





