ଗାନ୍ଧୀବାଦୀ ନବକୃଷ୍ଣ ଚୌଧୁରୀଙ୍କୁ ପ୍ୟାଣ୍ଟ୍ ସାର୍ଟ ପିନ୍ଧାଇଦେଲେ ମୋ ସରକାର

ଭୁବନେଶ୍ୱର,୩/୪ (ସତ୍ୟପାଠ ବ୍ୟୁରୋ): ଜୀବନ ବିତିଥିଲା ହତକଟା ଗଞ୍ଜି ଓ ଧୋତିରେ। ଜାତିର ପିତା ମହାତ୍ମା ଗାନ୍ଧୀ ଥିଲେ ତାଙ୍କର ଆଦର୍ଶ। କିନ୍ତୁ, ତାଙ୍କ ଆବର୍ତ୍ତମାନରେ ତାଙ୍କୁ ବେକ ଚିପା ସାର୍ଟ, ବୁଟ୍‌ ସାଙ୍ଗକୁ ପ୍ୟାଣ୍ଟ୍ ପିନ୍ଧାଇ ବିଲାତି ବାବୁ ସଜାଇ ଦେଇଛି ଅନୁଗୁଳ ପୌର ପ୍ରଶାସନ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବ କୃଷ୍ଣ ଚୌଧୁରୀ ଜଣେ ଗାନ୍ଧୀବାଦୀ ନେତା ଭାବେ ବିତିଛି ତାଙ୍କର ସାରା ଜୀବନ। କେବେବି ନିଜର ନୀତି ସହିତ ସାଲିସ କରି ନାହାନ୍ତି ସେ। ହେଲେ ତାଙ୍କ ଅନ୍ତେ ତାଙ୍କୁ ବିଲାତି ବାବୁ ସଜାଇ ଦେଇଛି ମୋ ସରକାର।

ଗାନ୍ଧୀବାଦ ଥିଲା ନବ ବାବୁଙ୍କର ଜୀବନ ସୂତ୍ର। ହାତକଟା ସୂତାରେ ତିଆରି ଧୋତି ଏବଂ ଗଞ୍ଜିରେ ତାଙ୍କର ପୂରା ଜୀବନ ବିତିଥିଲା। ହେଲେ ଗତ ୧ ତାରିଖରେ ଜିଲ୍ଲା ପ୍ରତିଷ୍ଠା ଦିବସ ଏବଂ ଓଡ଼ିଶା ଦିବସ ପାଳନ ଅବସରରେ ଅନୁଗୁଳ କୋର୍ଟ ସାମ୍ନା ଗୋପବନ୍ଧୁ ପାର୍କରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ପ୍ରତିମୂର୍ତ୍ତିରେ ବେକ ଚିପା ସାର୍ଟ, ବୁଟ୍‌ ସାଙ୍ଗକୁ ଯେଉଁଭଳି ଭାବରେ ପ୍ୟାଣ୍ଟ୍ ପିନ୍ଧାଇ ଫୁଲମାଳ ଦିଆଯାଇଛି, ସେଥିରୁ ଜିଲ୍ଲାର ମହାପୁରୁଷଙ୍କ ପ୍ରତି ଅନୁଗୁଳ ପୌରପାଳିକାର ଅସମ୍ମାନବୋଧତାକୁ କେବଳ ଦର୍ଶାଉ ନାହିଁ, ବରଂ ଅନୁଗୁଳର ପ୍ରଶାସନିକ ଡୋରି ସମ୍ଭାଳିଥିବା ବାବୁ ଅଫିସରମାନଙ୍କର ଜିଲ୍ଲାର ବରପୁତ୍ରମାନଙ୍କ ବିଷୟରେ କେତେ ଜ୍ଞାନ ରହିଛି, ତାହା ସ୍ପଷ୍ଟ କରୁଛି। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନବ ବାବୁଙ୍କ ଝିଅ କ୍ରୀଷ୍ଣା ମହାନ୍ତି।

ନବକୃଷ୍ଣ ଚୌଧୁରୀଙ୍କ ଝିଅ କ୍ରିଷ୍ଣା ମହାନ୍ତିଙ୍କ କହିବା ମୁତାବକ, କେବଳ ଶାସନରେ ଆସିବା ସମୟରେ ନୁହେଁ, କଲେଜ ବେଳୁ ତାଙ୍କର ଧୋତି ପ୍ରତି ତାଙ୍କର ଅହେତୁକ ଭଲପାଇବା ଥିଲା । ଧୋତି ପିନ୍ଧି ସେ ରେଭେନ୍‌ସା କଲେଜ ଯାଉଥିଲେ। ଯୌବନ ସମୟରୁ ଥିବା ଧୋତି ପିନ୍ଧା ଅଭ୍ୟାସ ଗାନ୍ଧୀଜୀଙ୍କ ଅସହଯୋଗ ଆନ୍ଦୋଳନରେ ଆହୁରି ଉଦ୍‌ଭାଷିତ ହୋଇଥିଲା। ୧୯୨୦ମସିହାରେ ଦେଶରେ ଗାନ୍ଧୀଜୀ ଯେତେବେ‌ଳେ ଇଂରେଜ ସରକାର ବିରୋଧରେ ଅସହଯୋଗ ଆନ୍ଦୋଳନର ନାରା ଦେଲେ, ବାପି ସେବଠୁ ହାତ କଟା ସୂତାରେ ଧୋତି ତିଆରି କରି ପିନ୍ଧିବା ଆରମ୍ଭ କଲେ। ଆଉ ତା ସହିତ ହାତକଟା ଗଞ୍ଜିଟିଏ, କେବେ କେବେ ପଞ୍ଜାବୀ ସାର୍ଟରେ ତାଙ୍କୁ ଦେଖିବାକୁ ମିଳିଥିଲା। ଆଉ ବୁଟ୍ ନୁହେଁ, ଜୋତାରେ ହିଁ ତାଙ୍କ ଜୀବନ କଟିଥିଲା। ଅନୁଗୁଳ କଣ, ପୂରା ଓଡ଼ିଶାବାସୀ ତାଙ୍କୁ କେବଳ ଏହି ପୋଷାକରେ ଚିହ୍ନିଛନ୍ତି। ଓଡ଼ିଶାରେ ଧୋତି ଏବଂ ବେକ ଚିପା ସାର୍ଟ ସହିତ ବୁଟ୍‌ ପିନ୍ଧି ନବବାବୁ କେବେ ବୁଲିଥିଲେ ଯେ, ଅନୁଗୁଳ ପୌର ପ୍ରଶାସନ ତାଙ୍କୁ ଧୋତି ବଦଳରେ ପ୍ୟାଣ୍ଟ୍‌ ପିନ୍ଧାଇ ଦେଇଛି? ବୋଲି ପ୍ରଶ୍ନ କରିଛନ୍ତି ଖୋଦ୍‌ ନବବାବୁଙ୍କ ଝିଅ କ୍ରୀଷ୍ଣା ମହାନ୍ତି।

ତେବେ କେବଳ ଝିଅ କ୍ରୀଷ୍ଣା ମହାନ୍ତି ନୁହନ୍ତି ଏବେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ସେ ସମୟରେ ନବ ବାବୁଙ୍କୁ ଦେଖିଥିବା ଅନେକ ବ୍ୟକ୍ତି ବିଶେଷ ଓ ବୁଦ୍ଧିଜୀବୀ। ଯଥାଶୀଘ୍ର ଏହି ତ୍ରୁଟିକୁ ସୁଧାରିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଥିବା ବେଳେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ନବ ବାବୁଙ୍କ ପ୍ରତିମୂର୍ତ୍ତି କୁ ବିକୃତ କରି ତିଆରି କରିଥିବା ପୌର ପ୍ରଶାସନ ଏବେ କେତେ ଅବଗତ ହେଉଛି ଓ କ’ଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି।

Related Posts