ବଲାଙ୍ଗୀର ଜିଲ୍ଲାରେ ଶିକ୍ଷକ ବି ନକଲି !

ଭୁବନେଶ୍ୱ,୪/୪ (ସତ୍ୟପାଠ ବ୍ୟୁରୋ): ବଲାଙ୍ଗୀରରେ ଜାଲ୍ ସାର୍ଟିଫିକେଟକୁ ନେଇ ସାରା ରାଜ୍ୟରେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଆରମ୍ଭ କରିଛି। ମାମଲାରେ ଧରପଗଡ ମଧ୍ୟ ଜାରି ରହିଛି। ସେପଟେ ଡାକଘର ପରେ ସମବାୟ ବ୍ୟାଙ୍କ ଆଉ ଏବେ ଶିକ୍ଷକ ଚାକିରିରେ ବି କିଛି ବ୍ୟକ୍ତି ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ସୂଚନା ରହିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସୂଚନା ଅନୁସାରେ ଜିଲ୍ଲାରେ ବିଭିନ୍ନ ସ୍କୁଲରେ ନକଲି ସାର୍ଟିଫିକେଟ୍‌ ଦେଇ ଶିକ୍ଷକ ଚାକିରି ପଦ ହାତେଇଛନ୍ତି।

ବଲାଙ୍ଗିର ସଇଁତଳା ଥାନା ପାଇକ ସମରା ଗାଁର ସ୍ୱାମୀ-ସ୍ତ୍ରୀ ଫେକ୍ ସାର୍ଟିଫିକେଟ୍ ଦେଇ ଚାକିରି ହାତେଇଥିବା ଅଭିଯୋଗ ହୋଇଛି । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଏନେଇ ଖୁଲାସା ହୋଇଛି । ସୂଚନା ଅନୁସାରେ ସଂପୃକ୍ତ ଶିକ୍ଷକ ୨୦୧୧ରେ ତାମିଲନାଡୁର କାମରାଜ ୟୁନିଭର୍ସିଟିରୁ ବିଏ ପାସ କରିଥିଲେ, ୨୦୧୨ରେ ମିରଠର ଚୌଧୁରୀ ଚରଣ ସିଂ ବିଦ୍ୟାଳୟରୁ ବିଇଡି ପାସ୍ କରିଛନ୍ତି । ଦୁଇ ବର୍ଷ ବ୍ୟବଧାନରେ ଭିନ୍ନ ଭିନ୍ନ ବିଶ୍ୱବିଦ୍ୟାଳୟରୁ ଦୁଇଟି ଡିଗ୍ରୀ ଶିକ୍ଷକ ଜଣକ କେମିତି ହାତେଇଲେ ତାକୁ ନେଇ ଏବେ ସନ୍ଦେହ ବଢ଼ିଛି ।

ବଲାଙ୍ଗିର ଜିଲ୍ଲା ଶିକ୍ଷା ବିଭାଗରେ ଏନେଇ ଧରପଗଡ଼ ଆରମ୍ଭ ହୋଇଛି। ଗତ ୩ ବର୍ଷ ମଧ୍ୟରେ ବଲାଙ୍ଗିର ଜିଲ୍ଲାର ପ୍ରାୟ ୩୭୮ ଜଣ ଶିକ୍ଷକ ବାହାର ରାଜ୍ୟର ସାର୍ଟିଫିକେଟ ଦେଇ ଚାକିରି କରିଥିବା ଜଣାଯାଇଛି। ତେଣୁ ସେହି ସାର୍ଟିଫିକେଟ ଗୁଡିକ ଏବେ ଅସଲି କି ନକଲି ତାହା ଏବେ ସବୁ ମହଲରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଏପରି ଖବର ପ୍ରଚାରିତ ହେବା ପରେ ଶିକ୍ଷା ବିଭାଗ ସହ କ୍ରାଇମବ୍ରାଞ୍ଚ ଅଧିକାରୀ ବି ଏହି ଘଟଣାର ଖୋଳତାଡ଼ କରିବାରେ ଲାଗି ପଡ଼ିଛନ୍ତି।

ତେବେ ନିକଟରେ ଜିଲ୍ଲାର ଡାକଘରେ ଚାକିରି କରିଥିବା ଅନେକ ଚାକିରିଆ ଦେଇଥିବା ସାର୍ଟିଫିକେଟ ବାହାର ରାଜ୍ୟର ଥିଲା। ଏବେ ସେମାନେ ଚାକିରି କରୁଥିବା ବେଳେ ସେହି ସାର୍ଟିଫିକେଟ ଅସଲି କି ନକଲି ଜାଣିବାକୁ ପ୍ରୟାସ କରାଯାଇଥିଲା। ଆଉ ତଦନ୍ତରୁ ଜଣାପଡିଛି ଫେକ୍ ବା ଜାଲ୍ ସାର୍ଟିଫିକେଟ ଦେଇ ସଂପୃକ୍ତ ବ୍ୟକ୍ତି ପୋଷ୍ଟ ଅଫିସରେ ଚାକିରି ହାତେଇଥିଲେ। ଏବେ ସରକାରୀ ଶିକ୍ଷକ ଚାକିରିରେ ସମାନ ପ୍ରକାର ବାହାର ରାଜ୍ୟର ସାର୍ଟିଫିକେଟ ନିଯୁକ୍ତି ବେଳେ ଅନେକ ଶିକ୍ଷକ ଦେଇଥିବାରୁ ସନ୍ଦେହ ବଢ଼ିଛି।

ସେହିପରି ଜିଲ୍ଲାରେ ଗୁଡବେଲା ସମବାୟ ବିଭାଗରେ ନକଲି ଏମବିଏ ସାର୍ଟିଫିକେଟ ଦେଇ ଜଣେ ବ୍ୟକ୍ତି ସମ୍ପାଦକ ପଦ ହାତେଇଥିବା ସୂଚନା ରହିଛି। ସଂପୃକ୍ତ ବ୍ୟକ୍ତି ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ବବିଦ୍ୟାଳୟର ସାର୍ଟିଫିକେଟ ଦେଇଥିବା ସୂଚନା ରହିଛି।

ଅନ୍ୟପଟେ ଏହି ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ପକ୍ଷରୁ ବିଭିନ୍ନ ଟିମ୍ ଗଠନ ହୋଇଛି। ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଏହି ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଜି ଗୋଟିଏ ଟିମ ବଲାଙ୍ଗୀରରେ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଏହି ନକଲି ସାର୍ଟିଫିକେଟ ମାମଲାରେ ଜଡିତ ଥିବା ଲୋକଙ୍କ ବୟାନ ରେକର୍ଡ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ଏବଂ ଆଲୋକକୁ ତଦନ୍ତକାରୀ ଟିମ୍ ରିମାଣ୍ଡରେ ନେବାକୁ ଯୋଜନା କରୁଥିବା ସୂଚନା ରହିଛି।

Related Posts