ଶ୍ରୀକ୍ଷେତ୍ରରେ ତଳକୁ ଖସୁଛି ଭୂତଳ ଜଳସ୍ତର, ଚିନ୍ତା ବଢ଼ାଇଲା କେନ୍ଦ୍ର ଜଳଶକ୍ତି ମନ୍ତ୍ରଳାୟର ରିପୋର୍ଟ

ଭୁବନେଶ୍ୱର,୧୦/୪(ସତ୍ୟପାଠ ବ୍ୟୁରୋ): ତଳକୁ ଖସୁଛି ପୁରୀ ସହରର ଭୂତଳ ଜଳସ୍ତର। ଗୋଟିଏ ବର୍ଷ ମଧ୍ୟରେ ସହରର ସିଦ୍ଧମହାବୀର ଓ ତୋଟା ସାହି ଅଞ୍ଚଳରେ ଜଳସ୍ତର ପାଖାପାଖି ୧ ମିଟର ତଳକୁ ଖସିଗଲାଣି। ସହରର ଅନ୍ୟ ଅଞ୍ଚଳର ସ୍ଥିତି ମଧ୍ୟ ଚିନ୍ତା ଜନକ ରହିଛି। କେନ୍ଦ୍ର ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଭୂତଳ ଜଳସ୍ତର ନେଇ ହୋଇଥିବା ୨୦୨୧-୨୨ର ସର୍ବେକ୍ଷଣ ରିପୋର୍ଟ ଜିଲ୍ଲା ଓ ପୌର ପ୍ରଶାସନ ପାଇଁ ଆହ୍ବାନ ପାଲଟିଛି। କେବଳ ବଳଗଣ୍ଡି, ପୁଲିସ୍‌ ଲାଇନ୍‌, ଗୌଡ଼ବାଡ଼ ସାହି, ଶ୍ରୀରାମ ଟକିଜ୍‌, ଜଗନ୍ନାଥବଲ୍ଲଭ ମଠ ଓ ବେହେରା ସାହି ଅଞ୍ଚଳକୁ ବାଦ୍‌ ଦେଲେ ସହରର ଅନ୍ୟ ଅଞ୍ଚଳଗୁଡ଼ିକରେ ଭୂତଳ ଜଳସ୍ତର ସଙ୍କଟଜନକ ଥିବା ଜଣାପଡିଛି।

ସୂଚନା ଅନୁସ‌ାରେ, ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ମଧ୍ୟରେ ଭୂତଳ ଜଳସ୍ତର ୨୦୧୯ ମସିହାରେ ୬.୨୬ ମିଟର ତଳେ ରହିଥିବା ବେଳେ ୨୦୨୧ ନଭେମ୍ବରରେ ଭୂତଳ ଜଳସ୍ତର ୬.୭୨ ମିଟର ତଳକୁ ଖସିଯାଇଛି। ୨ ବର୍ଷ ମଧ୍ୟରେ ପାଖାପାଖି ଅଧ ମିଟର ତଳକୁ ଖସିଗଲାଣି ଶ୍ରୀମନ୍ଦିରର ଭୂତଳ ଜଳସ୍ତର। ସିଦ୍ଧ ମହାବୀର ଅଞ୍ଚଳରେ ୨୦୧୯ ମସିହାରେ ଭୂତଳ ଜଳସ୍ତର ୧.୪୦ ମିଟର ତଳେ ରହିଥିବା ବେଳେ ୨୦୨୧ରେ ଏହା ୨.୩୯ ମିଟର ତଳକୁ ଖସି ଯାଇଛି। ତୋଟା ସାହିରେ ‌ଭୂତଳ ଜଳସ୍ତର ୨.୯୦ ମିଟର ତଳେ ରହିଥିବା ବେଳେ ଗୋଟିଏ ବର୍ଷରେ ଏହା ୩.୬୦ ମିଟର ତଳକୁ ଖସିଯାଇଛି। ଆଇଟିଆଇ ଛକ ଅଞ୍ଚଳରେ ୨୦୧୯ରେ ୩.୭୫ ମିଟର ତଳେ ଭୂତଳ ଜଳସ୍ତର ‌ରହିଥିବା ବେଳେ ୨୦୨୧ରେ ଏହା ୪.୨୨ ମିଟର ତଳକୁ ଖସିଯାଇଛି। ନରେନ୍ଦ୍ରକୋଣରେ ୨୦୧୯ ମସିହାରେ ଭୂତଳ ଜଳସ୍ତର ୧.୧୫ ମିଟର ତଳେ ଥିବା ବେଳେ ୨୦୨୧ ମସିହାରେ ଏହା ୨.୨୯ ମିଟର ତଳକୁ ଖସିଯାଇଛି। କୁମ୍ଭାରପଡ଼ାରେ ୨୦୧୯ ମସିହାରେ ଭୂତଳ ଜଳସ୍ତର ୩.୧୦ ମିଟର ତଳେ ରହିଥିବା ବେଳେ ୨୦୨୧ରେ ୩.୫୪ ମିଟର ତଳକୁ ଖସିଯାଇଛି। ସର୍ବୋଦୟ ନଗରରେ ଦୁଇବର୍ଷ ବ୍ୟବଧାନରେ ଭୂତଳ ଜଳସ୍ତର ୦.୪୧ ମିଟର ତଳକୁ ଖସି ଯାଇଛି। ଗୋବର୍ଦ୍ଧନ ମଠ ଅଞ୍ଚଳରେ ଭୂତଳ ଜଳସ୍ତର ୩.୯୨ ମିଟର ତଳେ ରହିଥିବା ବେଳେ ୨୦୨୧ ନଭେମ୍ବରରେ ଏହା ୪.୩୯ ମିଟର ତଳକୁ ହ୍ରାସ ପାଇଛି।

ଅନ୍ୟପକ୍ଷରେ, ପୁରୀ ସହରରେ ୨୦୧୯ ମସିହାରେ ଭୂତଳ ଜଳସ୍ତର ୧.୭୩ ମିଟର ତଳେ ରହିଥିବା ବେଳେ ୨୦୨୧ ମସିହାରେ ଏହା ୨.୨୬ ମିଟର ତଳକୁ ହ୍ରାସ ପାଇଛି। ବାଲିଘାଟ ଅଞ୍ଚଳରେ ୨୦୧୯ ମସିହାରେ ଭୂତଳ ଜଳସ୍ତର ୧.୪୦ ମିଟର ତଳେ ରହିଥିବା ବେ‌ଳେ ବର୍ଷକ ମଧ୍ୟରେ ଜଳସ୍ତର ୧.୯୦ ମିଟର ତଳକୁ ଖସିଛି। ବଡ଼ଦାଣ୍ଡ ଅଞ୍ଚଳରେ ଭୂତଳ ଜଳସ୍ତର ୩.୯୪ ମିଟର ତଳେ ରହିଥିବା ବେଳେ ବର୍ଷକ ମଧ୍ୟରେ ଏହା ୩.୯୯ ମିଟର ତଳକୁ ଖସିଛି। ଛପନଛକରେ ୨୦୧୯ ମସିହାରେ ଭୂତଳ ଜଳସ୍ତର ୧.୪୫ ମିଟର ତଳେ ରହିଥିବା ବେଳେ ୨୦୨୧ରେ ଏହା ୧.୯୫ ମିଟର ତଳକୁ ଖସିଛି।

ଭୂତଳ ଜଳ ଉତ୍ତୋଳନ ହେଉଥିଲ ମଧ୍ୟ ସନ୍ତୁଳନ ରକ୍ଷା କରିବା ପାଇଁ କୌଣସି ଯୋଜନା ପ୍ରସ୍ତୁତ ହେଉନଥିବାରୁ ଜଳସ୍ତର ତଳକୁ ଖସିବାରେ ଲାଗିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପୁରୀ ସହର ମଧ୍ୟରେ ୭୦୦ରୁ ଉର୍ଦ୍ଧ ହୋଟେଲ୍‌ ରହିଥିଲେ ବି ମାତ୍ର ୩ଟି ହୋଟେଲ୍‌ ଭୂତଳ ଜଳ ବ୍ୟବହାର କରିବାକୁ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡଠାରୁ ସ୍ବୀକୃତି ପାଇଛନ୍ତି। ମାଳମାଳ ହୋଟେଲ ବେଆଇନ ଭାବେ ଭୂତଳ ଜଳ ବ୍ୟବହାର କରିଚାଲିଥିବା ବେଳେ ଏଦିଗରେ କାହାର ଦୃଷ୍ଟି ନଥିବା ଭଳି ମନେ ହେଉଛି। ଭୂତଳ ଜଳସ୍ତର ଯେଉଁ ପରିମାଣରେ ଉତ୍ତୋଳନ କରାଯାଉଛି, ସେଇ ଅନୁଯାୟୀ ରିଚାର୍ଜ କରିବାର କୌଣସି ସ୍ଥାୟୀ ବ୍ୟବସ୍ଥା କରାଯାଉ ନଥିବାରୁ ସ୍ଥିତି ସଙ୍ଗିନ ହେବାରେ ଲାଗିଛି ବୋଲି ପରିବେଶବିତ୍‌ମାନେ ମତ ପ୍ରକାଶ କରିଛନ୍ତି।

Related Posts