ଭୁବନେଶ୍ୱର,୧୬/୪(ସତ୍ୟପାଠ ବ୍ୟୁରୋ): ପୁଣି ଉଠିଲା ଆବାସ ଯୋଜନା କେଳେଙ୍କାରୀ ପ୍ରସଙ୍ଗ । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ପିଏମ ଆବାସ ଘର ବଣ୍ଟାରେ ବିଳମ୍ବକୁ ନେଇ ସରକାରଙ୍କୁ ସମାଲୋଚନା କରିଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ରାଜ୍ୟକୁ ଆସିଥିବା ୯.୬୦ ଲକ୍ଷ ଆବାସ ବଣ୍ଟା ନହୋଇ ପଡି ରହିଛି। ଅଯୋଗ୍ୟ ଲୋକଙ୍କଠୁ ବିଜେଡି ୨୦ ହଜାର ଲେଖାଏଁ ନେଇଛି । ଯଦି ଇଚ୍ଛାଶକ୍ତି ଅଛି ତେବେ ୧୫ ଦିନ ଭିତରେ ତାଲିକା କରି ଘର ବାଣ୍ଟନ୍ତୁ ବୋଲି ଚେତାବନୀ ଦେଇଛି ବିଜେପି ।
ସାମ୍ବାଦିକ ସମ୍ମିଳନୀ କରି ବିଜେପି ସାଧାରଣ ସମ୍ପାଦକ କହିଛନ୍ତି,”ବର୍ଷା ଦିନ ଆଗରୁ ଆବାସ ଘର ବାଣ୍ଟ । ବର୍ଷା ଦିନ ପୂର୍ବରୁ ଯଦି ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଘର ନ ପହଁଚିବ ତେବେ ଓଡ଼ିଶାର ରାଜ ରାସ୍ତାରେ ନିଆଁ ଜଳିବ । ଏହାକୁ ରାଜ୍ୟ ସରକାର ନା ବିଜୁ ଜନତା ଦଳ କେହି ବି ରୋକି ପାରିବେ ନାହିଁ। ରାଜ୍ୟକୁ ଆସିଥିବା ୯ ଲକ୍ଷ ୬୦ ହଜାର ଆବାସ ବଣ୍ଟା ନ ହୋଇ ପଡି ରହିଛି । ପୂର୍ବରୁ ସର୍ଭେ କରି ଆବାସ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କଲେ ନାହିଁ ରାଜ୍ୟ ସରକାର । ଏବେ ୯ ଲକ୍ଷ ୬୦ ହଜାର ଘର ଆସିଛି କିନ୍ତୁ ସର୍ଭେ ନାଁ ରେ ଭେଳିକି କରୁଛନ୍ତି । ଘର ବାଣ୍ଟିବା ତାଲିକା ପ୍ରସ୍ତୁତ ହୋଇନାହିଁ । ପ୍ରାଥମିକ ତାଲିକାରେ ଥିବା ଅଯୋଗ୍ୟ ଲୋକଙ୍କୁଠୁ ୨୦ ହଜାର ଟଙ୍କା ଲେଖାଏଁ ବିଜେଡି ନେତାମାନେ ନେଇ ସାରିଛନ୍ତି ତେଣୁ ଏବେ ତାଙ୍କ ନାଁ କାଟି ପାରୁ ନାହାନ୍ତି । ସେଥିପାଇଁ ଘର ନ ବାଣ୍ଟି ସମୟ ଗଡେଇ ଚାଲିଛନ୍ତି ସରକାର । ଯଦି ସରକାରଙ୍କ ସତରେ ଇଚ୍ଛା ଶକ୍ତି ଅଛି, ତେବେ ୧୫ ଦିନ ଭିତରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ଆସିଥିବା ଘର ବାଣ୍ଟନ୍ତୁ ।”
ବିଜେପି ସାଧାରଣ ସମ୍ପାଦକ ଆହୁରି କହିଛନ୍ତି, ବର୍ଷା ଦିନ ପୂର୍ବରୁ ଯଦି ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଯଦି ଘର ନ ପହଁଚିବ ତେବେ ଓଡ଼ିଶାର ରାଜ ରାସ୍ତାରେ ନିଆଁ ଜଳିବ । ତାହାକୁ କେହି ରୋକି ପାରିବେ ନାହିଁ । ଯଦି ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବା ରଜନୀତି ହୁଏ ସେପରି ରାଜନୀତି ଆମେ କରିବୁ । ଦୁର୍ଭାଗ୍ୟର କଥା ରାଜ୍ୟରେ ଆନ୍ଦୋଳନ କରିବା ପରେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେବା ପରେ ବି ରାଜ୍ୟରେ ଗରିବ ଲୋକ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । କେନ୍ଦ୍ର ସରକାର ଟଙ୍କା ଦେଇଛନ୍ତି ମାତ୍ର ରାଜ୍ୟ ସରକାରଙ୍କ ପାଖରେ ତାକୁ ବିନିଯୋଗ କରିବାକୁ ସମୟ ନାହିଁ ବୋଲି ସେ କହିଛନ୍ତି।





