ଅତିକ ଅହମଦ ହତ୍ୟାକାଣ୍ଡ; ସମଗ୍ର ଉତ୍ତରପ୍ରଦେଶରେ ୧୪୪ ଧାରା ଜାରି, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଭୁବନେଶ୍ୱର,୧୬/୪(ସତ୍ୟପାଠ ବ୍ୟୁରୋ): ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ଅତିକ ଅହମଦ ଓ ଭାଇ ଅଶରଫ ହତ୍ୟାକାଣ୍ଡ ଘଟଣା ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଶନିବାର ରାତିରେ ଦୁର୍ବୃତ୍ତମାନେ ସାମ୍ବାଦିକ ବେଶରେ ଆସି ପୋଲିସ ଉପସ୍ଥିତିରେ ଦୁହିଁଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହି ହତ୍ୟାକାଣ୍ଡ ପରେ ରାଜ୍ୟବ୍ୟାପୀ ହାଇଆଲର୍ଟ ଜାରି କରିବା ସହ ଉତ୍ତରପ୍ରଦେଶର ସମସ୍ତ ୭୫ଟି ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି । ବିଳମ୍ବିତ ରାତିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଡକାଯାଇ ଘଟଣା ସମ୍ପର୍କରେ ଆଲୋଚନା କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ହତ୍ୟାକାଣ୍ଡ ଘଟଣାକୁ ଅତି ଗୁରୁତର ସହ ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତିନି ଜଣିଆ ନ୍ୟାୟିକ କମିଶନ ଗଠନ କରି ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହାଇକୋର୍ଟର ୩ ବିଚାରପତି ଏହାର ତଦନ୍ତ କରିବେ ।

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବସିଥିବା ଏହି ବୈଠକରେ ରାଜ୍ୟ ଗୃହ ବିଭାଗ ସଚିବ ସଞ୍ଜୟ ପ୍ରସାଦଙ୍କ ସହ ପୋଲିସ ଡିଜି ଆରକେ ବିଶ୍ବକର୍ମା ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଏଥିରେ ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଏହି ଘଟଣା ସହ ଜଡିତ କୌଣସି ପ୍ରକାର ଗୁଜବରେ ବିଶ୍ବାସ ନକରିବାକୁ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଅପିଲ୍ କରିବା ସହ ଗୁଜବ ପ୍ରଚାରକାରୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ତେବେ ଅତିକ ଓ ତାର ଭାଇକୁ ଗୁଳି କରିଥିବା ୩ ଜଣ ଦୁର୍ବୃତ୍ତଙ୍କୁ ପୋଲିସ ହେପାଜତକୁ ନେଇଛି । ସେପଟେ ଏହି ଘଟଣାରେ ୧୭ ଜଣ ପୋଲିସ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହାପୂର୍ବରୁ ଅତିକର ପୁଅ ଅସଦ ଏବଂ ତାର ସହଯୋଗୀ ଗୁଲାମକୁ ଦୁଇ ଦିନ ତଳେ ଉତ୍ତରପ୍ରଦେଶ ପୋଲିସ ଝାନ୍ସିରେ ଏନକାଉଣ୍ଟର କରିଥିଲା । ଗତକାଲି ସକାଳେ ପୁଅର ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ରାତିରେ ଅତିକ ଓ ଭାଇ ଅଶରଫକୁ ଗୁଳି କରି ହତ୍ୟା କରାଯାଇଛି । ରାଜୁ ପାଲ୍ ହତ୍ୟାକାଣ୍ଡ ଘଟଣାର ସାକ୍ଷୀ ଥିବା ଉମେଶ ପାଲ୍‌ଙ୍କୁ ହତ୍ୟା କରିବା ଘଟଣାରେ ଅତିକ ଅହମ୍ମଦ, ଅଶରଫ ଓ ପୁଅ ଅସଦ ଅଭିଯୁକ୍ତ ଥିଲେ ।

Related Posts