ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଦୁଇ ଦିନ ସବୁ ସ୍କୁଲ ଓ ଅଙ୍ଗନବାଡି ଛୁଟି ଘୋଷଣା କଲେ ସରକାର

ଭୁବନେଶ୍ୱର,୧୮/୪(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତି ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୧୯ ଓ ୨୦ ତାରିଖ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ସହ ଅଙ୍ଗନବାଡି ଗୁଡ଼ିକ ଛୁଟି ଘୋଷଣା କରିଛନ୍ତି। ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଏପ୍ରିଲ ୧୯ ଓ ୨୦ ତାରିଖରେ ପ୍ରଥମରୁ ଦ୍ବାଦଶ ‌ଶ୍ରେଣୀ ଯାଏଁ ସ୍କୁଲ ଗୁଡ଼ିକ ଛୁଟି ରହିବ। ଏଥି ସହିତ ଅଙ୍ଗନବାଡ଼ିଗୁଡ଼ିକ ମଧ୍ୟ ବନ୍ଦ ରଖାଯିବ। ତେବେ ପୂର୍ବରୁ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସରକାର ଗତ ୧୩ ତାରିଖ ଠାରୁ ୧୬ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରିଥିଲେ। ୧୭ରୁ ବର୍ଷା ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ବର୍ଷା ନହେବା ଯୋଗୁଁ ତାପମାତ୍ରା ବଢ଼ିଚାଲିଛି। ଏହି କାରଣରୁ ସରକାର ପୁଣି ଥରେ ୨ଦିନ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ଗ୍ରୀଷ୍ମ ପ୍ରବାହ ଜାରି ରହିବା କାରଣରୁ ପ୍ରବଳ ଖରାରେ ରାଜ୍ୟବାସୀ ଛଟପଟ ହେଉଛନ୍ତି। ଆଜି ରାଜ୍ୟର ୨୯ଟି ସହରର ତାପମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଊର୍ଦ୍ଧ୍ବ ରେକର୍ଡ କରାଯାଇଛି। ଏଥିରୁ ୧୭ଟି ସହରରେ ତାପମାତ୍ରା ୪୨ ଡିଗ୍ରିରୁ ଅଧିକ ରହିଛି। ବାରିପଦା ସହିତ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୪.୨ ଡିଗ୍ରି ରେକର୍ଡ କରାଯାଇଛି। ସେହିଭଳି ଭୁବନେଶ୍ବରରେ ପାରା ୪୨.୭ ଡିଗ୍ରି ଛୁଇଁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

Related Posts