ଭୁବନେଶ୍ୱର,୨୦/୪(ସତ୍ୟପାଠ ବ୍ୟୁରୋ): ପୁଣି ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ମେ’ ୯ ତାରିଖରେ ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। ଏହି ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦା ଆସିବେ। ଏନେଇ ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବ ଚିଠି କରି ସୂଚନା ଦେଇଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜେ ମୟୂରଭଞ୍ଜ ଜିଲ୍ଲାର ଝିଅ। ରାଷ୍ଟ୍ରପତି ହେବା ପରେ ସେ ପ୍ରଥମ ଥର ନିଜ ଜିଲ୍ଲା ଗସ୍ତରେ ଆସୁଥିବା ବେଳେ ରାଷ୍ଟ୍ରପତିଙ୍କ ବାରିପଦା ଗସ୍ତ ଖବର ଜିଲ୍ଲା ବାସୀଙ୍କ ମନରେ ଖୁସି ଭରି ଦେଇଛି। ସେପଟେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ମକର୍ତ୍ତାଙ୍କ ମଧ୍ୟରେ ବି ଉତ୍ସାହ ଦେଖାଦେଇଛି। ତେବେ ପୂର୍ବରୁ, ମହାମହିମ ଓଡ଼ିଶା ଆସି ନିଜେ ପଢ଼ୁଥିବା ରମାଦେବୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦାନ ଏହାସହିତ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ।





