ଏଡିଆର୍ ରିପୋର୍ଟ: କର୍ଣ୍ଣାଟକରେ ନବନିଯୁକ୍ତ ସମସ୍ତ ୯ ମନ୍ତ୍ରୀ କୋଟିପତି, ସମସ୍ତଙ୍କ ନାଁରେ ରହିଛି ଅପରାଧିକ ମାମଲା

ଭୁବନେଶ୍ୱର,୨୩/୫(ସତ୍ୟପାଠ ବ୍ୟୁରୋ): ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରି କର୍ଣ୍ଣାଟକରେ ସରକାର ଗଢିଛି କଂଗ୍ରେସ। ଏହାପରେ ଗତ ଶନିବାର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସମେତ ୯ ଜଣ ମନ୍ତ୍ରୀ ଶପଥ ପାଠ କରିଛନ୍ତି । ହେଲେ ଆପଣ ଜାଣନ୍ତି କି ଏହି ନବନିଯୁକ୍ତ ମନ୍ତ୍ରୀଙ୍କ ବିରୋଧରେ ରହିଛି ଅନେକ ଅପରାଧିକ ମାମଲା । ଏହାସହିତ ଏମାନେ କୋଟିପତି ବୋଲି ମଧ୍ୟ ଜଣାପଡ଼ିଛି । ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମ୍ସ (ଏଡିଆର୍) ରିପୋର୍ଟରେ ଏ ନେଇ ଦର୍ଶାଯାଇଛି ।

ଶନିବାର ଶପଥ ଗ୍ରହଣ କରିଥିବା ୯ ମନ୍ତ୍ରୀଙ୍କୁ ନେଇ ଏହି ତଥ୍ୟ ପ୍ରକାଶ କରାଯାଇଛି । ଏହି ୯ ଜଣ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ବେଳେ ୪ ଜଣଙ୍କ ବିରୋଧରେ ସାଙ୍ଘାତିକ ମାମଲା ରହିଛି । ଏହାସହିତ ସେମାନେ ସମସ୍ତେ କୋଟିପତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଏହି ୯ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ହେଉଛି ୨୨୯.୨୭ କୋଟି ଟଙ୍କା । ସେପଟେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ସବୁଠୁ ଧନୀ ହୋଇଥିବା ବେଳେ ତାଙ୍କ ସମ୍ପତ୍ତିର ମୂଲ୍ୟ ୧୪୧୩.୮୦ କୋଟି ବୋଲି ଜଣାପଡ଼ିଛି । ସେପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ ପ୍ରିୟଙ୍କ ଖଡ଼ଗେଙ୍କ ସମ୍ପତ୍ତିର ମୂଲ୍ୟ ସବୁଠୁ କମ ରହିଛି । ପ୍ରିୟଙ୍କଙ୍କ ସମ୍ପତ୍ତିର ମୂଲ୍ୟ ୧୬.୮୩ କୋଟି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ସେପଟେ ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି । ୯ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୩ ଜଣ ମନ୍ତ୍ରୀ ଅଷ୍ଟମ ଓ ଦ୍ବାଦଶ ପାସ କରିଥିବା ବେଳେ ବାକି ୬ ମନ୍ତ୍ରୀ ସ୍ନାତକ ହାସଲ କରିଛନ୍ତି । ସେହିପରି ୫ଜଣ ମନ୍ତ୍ରୀଙ୍କ ବୟସ ୪୧ରୁ ୬୦ବର୍ଷ ମଧ୍ୟରେ ରହିଥିବା ବେଳେ ଆଉ ୫ଜଣ ମନ୍ତ୍ରୀଙ୍କ ବୟସ ୬୧ରୁ ୮୦ବର୍ଷ ବୟସ ମଧ୍ୟରେ ରହିଛି । ଅନ୍ୟପଟେ କର୍ଣ୍ଣାଟକ କ୍ୟାବିନେଟରେ ଜଣେ ବି ମହିଳା ମନ୍ତ୍ରୀ ନାହାନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ସୂଚନାଯୋଗ୍ୟ ଯେ, ଶନିବାର ସିଦ୍ଧରମୈୟା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଓ ଡିକେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏମାନଙ୍କ ବ୍ୟତୀତ ଆଉ ୮ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ବେଙ୍ଗାଲୁରୁ ସ୍ଥିତ କାନ୍ତିରୱା ଷ୍ଟାଡିମୟରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିଥିଲା । ଏହି ସମାରୋହରେ କଂଗ୍ରେସ ଶୀର୍ଷ ନେତୃତ୍ବ ଯୋଗଦାନ କରିଥିଲେ । ଅନେକ କଂଗ୍ରେସ ସମର୍ଥକଙ୍କ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା ।

Related Posts