ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚଳିତ ବର୍ଷ ଶେଷ ଆଡ଼କୁ ଅନୁଷ୍ଠିତ ହେବ ଗୁଜରାଟ ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ପାଇଁ ନିଜର ପୁରା ବଳ ଲଗାଇ ଦେଇଛି ଆମ ଆଦମୀ ପାର୍ଟି(ଆପ)। ମାତ୍ର ନିର୍ବାଚନ ପୂର୍ବରୁ ଆପ କୁ ଗୁଜୁରାଟରେ ଏକ ବଡ଼ ଝଟ୍‌କା ଲାଗିଛି। ଭାରତୀୟ ଟ୍ରାଇବଲ ପାର୍ଟି (ବିଟିପି) ଆପ ସହ ନିଜର ୫ମାସର ମେଣ୍ଟକୁ ଭାଙ୍ଗିିଛି। ଏନେଇ ସୋମବାର ବିଟିପି ଦଳ ପକ୍ଷରୁ ଔପଚାରିକ ଭାବେ ଘୋଷଣା କରାଯାଇଛି।

ବର୍ତ୍ତମାନ ଦେଶରେ ରାଜନୈତିକ ପରିସ୍ଥିତି ଭୟଙ୍କର ରହିଛି।ଏଭଳି ସ୍ଥିତିରେ କୌଣସି ଟୋପିବାଲା ସହ ଦଳ ମେଣ୍ଟ କରିବ ନାହିଁ ବୋଲି ବିଟିପି ପ୍ରତିଷ୍ଠାତା ଛୋଟୁ ଭାସଭା କହିଛନ୍ତି। ଏଥିସହ ସେ ଆହୁରି କହିଛନ୍ତି ଯେ, ସମସ୍ତ ଦଳ ସବୁବେଳେ ଆଦିବାସୀଙ୍କ ସମସ୍ୟାକୁ ଅଣଦେଖା କରିଆସିଛନ୍ତି। ଯଦି ଆପ ସହ ମେଣ୍ଟ ରଖାଯାଏ ତେବେ ନିଜ ଦଳକୁ କ୍ଷତି ହେବ ହେବ ବୋଲି ଭାସଭା ମନ୍ତବ୍ୟ ଦେଇଛନ୍ତି। ତେବେ ଚଳିତ ବର୍ଷ ଗୁଜରାଟ ବିଧାନସଭା ନିର୍ବାଚନରେ ବିଟିପି ଏକକୀ ଲଢ଼ିବ ବୋଲି ସେ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗୁଜରାଟର ୧୮୨ଟି ବିଧାନସଭା ଆସନ ମଧ୍ୟରୁ ୨୭ଟି ଆସନ ଉପରେ ଆଦିବାସୀ ସମାଜର ପ୍ରଭାବ ରହିଛି। ତେବେ ନିର୍ବାଚନ ପୂର୍ବରୁ ଏହି ମେଣ୍ଟ ଭାଙ୍ଗିବା ଆପକୁ ଏକ ଶକ୍ତ ଝଟ୍‌କା ଦେଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।