ମୁସଲିମ ଭାବି ଜଣେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କଲେ ବିଜେପି ନେତା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୁସଲିମ ଭାବି ଜଣେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କଲେ ବିଜେପି ନେତା । ଏ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ । ସମ୍ପୃକ୍ତ ବୃଦ୍ଧଙ୍କୁ ଏହି ବିଜେପି ନେତା ଜଣଙ୍କ ଅମାନବୀୟ ଭାବେ ମାରୁଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବା ପରେ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ସର୍ଚ୍ଚ ଆରମ୍ଭ କରିଛି। ଗୁରୁବାର, ମଧ୍ୟପ୍ରଦେଶ ମନାସା ରାମପୁରା ରୋଡ। ଏଠାରେ ଥିବା ଏକ ମାରୁତି ଶୋ’ ରୁମ୍ ନିକଟରୁ ଜଣେ ଅଜ୍ଞାତ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ଜବତ ହୋଇଥିଲା। ପୁଲିସ ସୋଶାଲ ମିଡିଆ ସମେତ ବିଭିନ୍ନ ପ୍ଲାଟଫର୍ମରେ ଏହି ମୃତବ୍ୟକ୍ତିଙ୍କ ଫଟୋ ଜାରି କରିଥିଲା। ପରେ ଏହି ବୃଦ୍ଧ ବ୍ୟକ୍ତି ଜଣକ ରତଲାମ ଜିଲ୍ଲାର ଭଂବର ଲାଲ ଜୈନ ବୋଲି ପରିଚୟ ମିଲିଥିଲା।

ପ୍ରାଥମିକ ପ୍ରକ୍ରିୟା ପୂରଣ କରିବା ପରେ ଶୁକ୍ରବାର ପୁଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ପରିବାର ଲୋକଙ୍କ କହିବା ମୁତାବକ, ଭଂବର ଲାଲ ଦିବ୍ୟାଙ୍ଗ ଥିବା ସହ ମାନସିକ ରୋଗୀ ଥିଲେ। ତାଙ୍କୁ କୌଣସି କଥା ମନେ ରହୁନଥିଲା। ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ଜଣେ ବ୍ୟକ୍ତି ଭଂବର ଲାଲ ଜୈନଙ୍କୁ ମୁସଲିମ ହେବା ସନ୍ଦେହରେ ଅମାନବୀୟ ଭାବେ ଚାପୁଡା ଉପରେ ଚାପୁଡା ମାରୁଥିବା ଦେଖିବାକୁ ମିଳିଛି। ‘ତୋର ନାଁ କ’ଣ? ତୁ ଜାୱରାରୁ ଆସିଛୁ? ତୋ ଆଧାର କାର୍ଡ ଦେଖାଟ୍ଟ କହି ଲଗାତର ବୃଦ୍ଧଙ୍କୁ ଉକ୍ତ ବ୍ୟକ୍ତି ଜଣକ ମାଡ ମାରୁଛନ୍ତି। ସେପଟେ ବୃଦ୍ଧ ଜଣକ ନେହୁରା ହୋଇ ୨୦୦ ଟଙ୍କା ନିଅ ମୋତେ ମାରନିଟ୍ଟ ବୋଲି କହୁଥିବା ଶୁଣିବାକୁ ମିଳିଛି।

Related Posts