କଂଗ୍ରେସର ଜଣେ କର୍ମୀ ବିଜେଡିର ଜଣେ ମନ୍ତ୍ରୀଙ୍କ ସହିତ ସମାନ: ଶରତ ପଟ୍ଟନାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପିସିସି ସଭାପତି ଶରତ ପଟ୍ଟନାୟକ ରବିବାର ଅନୁଗୁଳରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀଙ୍କ ଭିତରେ ପୁଣି ପୁରୁଣା ଜୋସ୍ ଭରିବାକୁ ଚେଷ୍ଟା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସେ ରାଜ୍ୟର ବିଜେଡି ସରକାର ବିରୋଧରେ ବର୍ଷିବା ସହ ଦଳୀୟ କର୍ମୀଙ୍କୁ ଗରୁମନ୍ତ୍ର ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ସମୟ ଥିଲା କଂଗ୍ରେସର କର୍ମୀ ମାନେ ହିଁ ଓଡ଼ିଶାରେ ବିଜୁ ପଟ୍ଟନାୟକ ସରକାରକୁ କ୍ଷମତାରୁ ହଟାଇଥିଲେ। ବିଗତ ୨୨ବର୍ଷ ଧରି ଓଡ଼ିଶାରେ କଂଗ୍ରେସ କ୍ଷମତାରେ ନାହିଁ ସତ, କିନ୍ତୁ କଂଗ୍ରେସର ପ୍ରତିଟି କର୍ମୀଙ୍କ ଭିତରେ ଆଜି ମଧ୍ୟ ଟାଣୁଆ ନେତୃତ୍ବ ରହିଛି। କଂଗ୍ରେସର ଜଣେ କର୍ମୀ ବିଜେଡିର ଜଣେ ମନ୍ତ୍ରୀଙ୍କ ସହିତ ସମାନ। କଂଗ୍ରେସ ଓଡ଼ିଶାରେ ସରକାରରେ ଥିବା ସମୟରେ ଦଳର ଜଣେ କର୍ମୀଙ୍କର ଗାଁରେ ଯେତିକି କ୍ଷମତା ଥିଲା, ଆଜି ବିଜେଡି ସରକାରରେ ଜଣେ ମନ୍ତ୍ରୀଙ୍କର ମନ୍ତ୍ରୀଙ୍କର ମଧ୍ୟ ସେତିକି କ୍ଷମତା ନାହିଁ।ଆମେ ପୁଣି ସଂଗଠିତ ହୋଇଗଲେ, କଂଗ୍ରେସ ତାର ପୁରୁଣା ଗୌରବ ଫେରିପାଇବ ବୋଲି ଶରତ ପଟ୍ଟନାୟକ ଏହା କହିଛନ୍ତି।

ଶ୍ରୀ ପଟ୍ଟନାୟକ ରବିବାର ଦିନ ଜିଲ୍ଲା କଂଗ୍ରେସ କମିଟି ସଭାପତି ବିପ୍ଳବ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ କହିଥିଲେ, ବର୍ତ୍ତମାନ ବିଧାନସଭାରେ କଂଗ୍ରେସର ୯ ଜଣ ବିଧାୟକ ନେତୃତ୍ବ ନେଉଛନ୍ତି। ଆମେ ମିଳିମିଶି କାମ କରି ଏ ସଂଖ୍ୟାକୁ ୯୦ ରେ ପହଞ୍ଚାଇ ପାରିବା। ଅନୁଗୁଳ ଜିଲ୍ଲାରେ ୫ରୁ ୫ ବିଧାୟକ ସିଟ୍‌ରେ ଯେପରି କଂଗ୍ରେସ ବିଜୟ ହେବ ସେହି ଲକ୍ଷ୍ୟ ରଖି କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଦଳ ପାଇଁ ଯିଏ ପରିଶ୍ରମ କରିବ ନିର୍ବାଚନରେ ସେ ହିଁ ଟିକେଟ୍‌ର ହକ୍‌ଦାର ହେବ ବୋଲି ସିଧାସିଧା ସୂଚାଇ ଦେଇଛନ୍ତି। ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକୁ ସମାଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ଚିନ୍ମୟ ବେହୁରା, ଆଇଏନ୍‌ଟିୟୁସି ଉପସଭାପତି କିଶୋର ଜେନା, ପୂର୍ବତନ ଜିଲ୍ଲା ସଭାପତି ସଂଗ୍ରାମ ମିଶ୍ର, ନିଖିଳ ଭାରତ ମହିଳା କଂଗ୍ରେସ ସଂପାଦିକା ସସ୍ମିତା ବେହେରା, ବିଜୟ ଚାଉଳିଆ, ସୁବ୍ରତ ଗଡ଼ନାୟକ ପ୍ରମୁଖ ଯୋଗ ଦେଇଥିଲେ। ସଭା ଶେଷରେ ରାଜ୍ୟ ଓବିସି ସେଲ ସମ୍ପାଦକ ଜିତେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Related Posts