କୁଆଖାଇ ନଦୀପଠାରୁ ବାଲି ଚୋରି ନେଇ ଭୁବନେଶ୍ୱର ତହସିଲଦାରଙ୍କ ଅଭିଯୋଗ, ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭୁବନେଶ୍ୱର ଉପକଣ୍ଠ କଲ୍ୟାଣପୁରସ୍ଥିତ କୁଆଖାଇ ନଦୀପଠାରୁ ବେଆଇନ ଭାବେ ବାଲି ଚାଲାଣ ନେଇ ଅଭିଯୋଗ ହୋଇଛି। ଏନେଇ ଖୋଦ୍ ଭୁବନେଶ୍ବର ତହସିଲଦାର୍ ଚିଠି ଜରିଆରେ ନନ୍ଦନକାନନ ଥାନାରେ ଅଭିଯୋଗ କରିଛନ୍ତି। ତହସିଲଦାରଙ୍କ ଅଭିଯୋଗ ଅନୁସାରେ ସ୍ଥାନୀୟ ଅଞ୍ଚଳର ପବିତ୍ର କୁମାର ସ୍ବାଇଁ ଓରଫ ବ୍ରଜ ନାମକ ଜଣେ ଯୁବକ ଏହି ବାଲି ଚୋରିର ମାଷ୍ଟର୍‌ମାଇଣ୍ଡ। ବିଳମ୍ବିତ ରାତିରେ ନଦୀପଠାରୁ ବାଲି ଚୋରି କରି ବିଭିନ୍ନ ସ୍ଥାନକୁ ପଠାଯାଉଛି। ଏହା ଫଳରେ ସରକାରଙ୍କ ବିପୁଳ ରାଜସ୍ବ ହାନି ଘଟୁଛି। ନଦୀପଠାରୁ ପ୍ରାୟ ୬୦ କ୍ୟୁବିକ୍ ଫୁଟ୍‌ର ବାଲି ଚୋରି ହୋଇଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ତହସିଲଦାର। ନଦୀପଠାରେ ଟ୍ରକ୍ ଓ ଟ୍ରାକ୍ଟର୍ ପ୍ରମୁଖ ମାଲ୍‌ବାହୀ ଗାଡ଼ି ଯାତାୟାତର ଚିହ୍ନ ମଧ୍ୟ ରହିଛି। ତେଣୁ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତହସିଲଦାର ଥାନା ଅଧିକାରୀଙ୍କୁ ଗତ ୧୩ତାରିଖରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ଏହି ଘଟଣାକୁ ପ୍ରାୟ ୧୨ଦିନ ବିତିଯାଇଥିଲେ ସୁଦ୍ଧା ନନ୍ଦନକାନନ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏହାକୁ ନେଇ ପ୍ରଶ୍ନ ଉଠିବା ପରେ ଥାନା ଅଧିକାରୀ ବିଶ୍ବରଂଜନ ନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏନେଇ ଅଭିଯୋଗ ଆସିଛି ମାତ୍ର ସେମିତି କିଛି ନିର୍ଦ୍ଦିଷ୍ଟ ପ୍ରମାଣ ମିଳିନାହିଁ। ବାଲି ଚୋରା ଚାଲାଣ ସମୟରେ ଗାଡ଼ି ଧରି ପ୍ରମାଣ ଦେଲେ ପ୍ରଥମେ ଜରିମାନା ଆଦାୟ ହେବ। ଯଦି ନିୟମିତ ଭାବେ କେହି ଏଭଳି ବାଲି ଚାଲାଣ କରୁଥିବାର ନଜରକୁ ଆସେ, ତେବେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅପରପଟେ ଘଟଣାକୁ ନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ନଦୀପଠାରୁ ୬୦କ୍ୟୁବିକ୍ ଫୁଟ୍‌ର ବାଲି ଚୋରି ହୋଇଛି। ଅଥଚ ପୁଲିସ ପ୍ରମାଣ ଖୋଜୁଛି। ପୁଲିସ ଯଦି ନିୟମିତ ବ୍ୟବଧାନରେ ବ୍ଲକିଂ ଓ ଚେକିଂ କରନ୍ତା, ତେବେ ବାଲିମାଫିଆ ଧରାପଡ଼ନ୍ତେ।

Related Posts