
ଡାମାସକସ: ସିରିଆ ଏବେ ଆତଙ୍କବାଦର ଭୟଙ୍କର ପରିଣାମ ମଧ୍ୟରେ ଗତି କରୁଛି । ସିରିଆନ ଆର୍ମି ଉପରେ ଭୟଙ୍କର ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଏଥିରେ ୧୮ ଜଣ ଯବାନଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ରୁ ଅଧିକ ଆହତ ହୋଇଛନ୍ତି।
ଗୁରୁବାର ସିରିଆ ରାଜଧାନୀ ଡାମାସକସ୍ରେ ଥିବା ସେନା କ୍ୟାମ୍ପ ନିକଟରେ ଏକ ବସ୍ରେ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏଥିରେ ସେନା ଯବାନଙ୍କର ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଛି। ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।
ସିରିଆ ଗଣମାଧ୍ୟମ ସାନାରେ ଏନେଇ ଖବର ପ୍ରକାଶ ପାଇଛି। ପ୍ରକାଶିତ ରିପୋର୍ଟରେ କୁହାଯାଇଛି “ ଡାମାସକସ୍ର ଏକ ସ୍ଥାନରେ ମିଲିଟାରୀ ବସ୍ରେ ଭୟଙ୍କର ବିସ୍ଫୋରଣ କରାଯାଇଛି। ବସ୍ଟି ଉକ୍ତ ସ୍ଥାନ ଦେଇ ଯିବା ପୂର୍ବରୁ ସେଠାରେ ବୋମା ଖଞ୍ଜା ଯାଇଥିଲା। ଏଥିରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି।”
ତେବେ ଏହି ଆକ୍ରମଣରେ କେଉଁ ଆତଙ୍କବାଦୀ ସଂଗଠନ କରିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଦୁର୍ଘଟଣା ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହିଁ।