ସ୍ବପ୍ନର ବେପାର କରୁଥିବା ଲୋକ କେବେ ଗୁଜୁରାଟରେ ସଫଳ ହେବେ ନାହିଁ; କେଜ୍ରିୱାଲଙ୍କୁ ଅମିତ ଶାହାଙ୍କ ଟାର୍ଗେଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜୁରାଟ ନିର୍ବାଚନକୁ ଲକ୍ଷ୍ୟରେ ରଖି ବର୍ତ୍ତମାନ ଗୁଜୁରାଟ ଗସ୍ତରେ ଅଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହି ଗସ୍ତ ଅବସରରେ ସେ ଲଗାତାର ବିଜେପି ଉପରେ ଟାର୍ଗେଟ କରି ବୟାନ ଦେଇଛନ୍ତି। ହେଲେ ଏବେ ବିଜେପି ପକ୍ଷରୁ କେଜ୍ରିୱାଲଙ୍କୁ ପ୍ରତି ଆକ୍ରମଣ କରାଯାଇଛି। ଅମିତ୍ ଶାହା କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି। ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ସରକାରର ଏକ ବର୍ଷପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏକ ସଭାରେ ଶାହା କହିଛନ୍ତି ଯେ, ସ୍ବପ୍ନର ବେପାର କରୁଥିବା ଲୋକ କେବେ ଗୁଜୁରାଟରେ ସଫଳ ହେବେ ନାହିଁ ।କାରଣ ଗୁଜୁରାଟ ଲୋକ ସେମାନଙ୍କ ଉପରେ ବିଶ୍ବାସ କରନ୍ତି, ଯେଉଁମାନେ କାମ କରନ୍ତି । ଏହି କାରଣରୁ ଗୁଜୁରାଟରେ ଲୋକମାନେ ବିଜେପି ସହିତ ଅଛନ୍ତି । ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ପୁଣି ଦୁଇ ତୃତୀୟାଂଶ ଆସନରେ ବିଜୟ ହାସଲ କରି ସରକାର ଗଢିବ ବୋଲି ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ପ୍ରଶଂସା କରି ସେ କହିଛନ୍ତି ଯେ, ବିଜେପି ସରକାର ଅମଳରେ ଗୁଜୁରାଟରେ ବିକାଶ ହୋଇଛି । କଂଗ୍ରେସ ସରକାରଙ୍କ ଅମଳରେ ବୋମା ବିସ୍ଫୋରଣ, ସାଂପ୍ରଦାୟିକ ଦଙ୍ଗା ନିୟମିତ ଭାବେ ହେଉଥିଲା । ଏହି କାରଣରୁ ରାଜ୍ୟରେ ବିକାଶ ହୋଇପାରୁନଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଗୁଜୁରାଟ ଗତ ୨୦ ବର୍ଷରେ ବିକାଶର ରେକର୍ଡ କରିଛି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଅମଳରେ ଏହି ବିକାଶ ଯାତ୍ରାରେ ଏକ ନୂଆ ଶକ୍ତି ସଂଚାରିତ ହୋଇଛି ବୋଲି ଅମିତ ଶାହା କହିଛନ୍ତି ।

Related Posts