
(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର : ଇରାକ୍ର ରାଜଧାନୀ ବାଗ୍ଦାଦ୍ସ୍ଥିତ ‘ଇବନ୍ ଅଲ୍-ଖାତିବ୍ ଡାକ୍ତରଖାନା’ର ICU ’ରେ ନିଆଁ ଲାଗିଯିବାରୁ ୨୩ଜଣ ବ୍ୟକ୍ତିଙ୍କର ଦେହାନ୍ତ ହୋଇଛି ।ସୂଚନାନୁସାରେ ଅମ୍ଳଜାନ ସିଲିଣ୍ଡର ଗଚ୍ଛିତ ରଖିଥିବା ତୃଟି ଯୋଗୁଁ ଏଭଳି ଭୟାନକ ବିସ୍ଫୋରଣ ସହ ଅଗ୍ନିକାଣ୍ଡ ଘଟିଥିଲା । ‘ଇବନ୍ ଅଲ୍-ଖାତିବ୍ ଚିକିତ୍ସାଳୟ’ର ICU ରେ ଥିବା ୩୦ଜଣ ରୋଗୀଙ୍କ ଶଯ୍ୟା ନିକଟରେ ସେମାନଙ୍କର ସମ୍ପର୍କୀୟମାନେ ଉପସ୍ଥିତ ଥିଲେ। ମଧ୍ୟରାତ୍ରରେ ଡାକ୍ତରଖାନାରେ ଅଗ୍ନିଶିଖା ବିଚ୍ଛୁରିତ ହୋଇଯାଇଥିଲା। ତେବେ ଅବହେଳା କାରଣରୁ ଏପରି ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।ଇରାକବାସୀ ଏଭଳି ଏକ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଘଟଣାର ଆଶୁ ତଦନ୍ତ କରିବା ସହ କର୍ତ୍ତବ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବାଗଦାଦ୍ ର ରାଜ୍ୟପାଳ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ।