କଣ୍ଟେନର ଜାହାଜରେ ଅଗ୍ନିକାଣ୍ଡ, ଉଦ୍ଧାରକାରୀ ଦଳ ନିଆଁକୁ କଲେ ଆୟତ୍ତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କାରେ ଘଟିଛି ଏକ ଭୟାବହ ଦୁର୍ଘଟଣା । ଶ୍ରୀଲଙ୍କା ଉପକୂଳରୁ ଏକ କଣ୍ଟେନର ଜାହାଜ ଭିତରେ ବିସ୍ଫୋରଣ ହୋଇ ସଂପୂର୍ଣ୍ଣ ଜାହାଜରେ ନିଆଁ ଲାଗିଯାଇଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସମଗ୍ର ବିଶ୍ଵ ସ୍ତବ୍ଧ ହୋଇଯାଇଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି କଣ୍ଟେନର ଜାହାଜରୁ ସମସ୍ତ କର୍ମଚାରୀଙ୍କୁ ସ୍ଥାନାନ୍ତର କରିଥିଲେ । ଏହା ସହ ବୋର୍ଡରେ ନିଆଁ ଲାଗିବା ଫଳରେ ଦୁଇ ଜଣ ଆହତ ହୋଇଛନ୍ତି ବୋଲି ଶ୍ରୀଲଙ୍କା ନୈସେନାର ମୁଖପାତ୍ର କହିଛନ୍ତି।

ନିଆଁକୁ ଆୟତ୍ତ କରିବା ପାଇଁ ବାୟୁସେନା ହେଲିକପ୍ଟର ଶୁଖିଲା ରାସାୟନିକ ପାଉଡର ବ୍ୟବହାର କରୁଛି ବୋଲି ଅଧିକାରୀମାନେ କହିଛନ୍ତି । ଜାହାଜରେ ଥିବା ୨୫ ଚାଳକ ଦଳ ସଦସ୍ୟଙ୍କ ମଧ୍ୟରେ ୨ ଜଣ ଭାରତୀୟଙ୍କ ସମେତ ଫିଲପାଇନସ, ଚୀନ ଓ ଋଷିଆ ନାଗରିକ ଥିବାର ସୂଚନା ମିଳିଛି । ତେବେ ଜାହାଜଟି ମେ 15 ରେ ଭାରତର ହାଜିରା ବନ୍ଦର ଛାଡି କଲମ୍ବୋ ଦେଇ ସିଙ୍ଗାପୁର ଅଭିମୁଖେ ଯାତ୍ରା କରୁଥିଲା । ଏହି ଜାହାଜଟି 25 ଟନ୍ ନାଇଟ୍ରିକ୍ ଏସିଡ୍ ସମେତ ପ୍ରସାଧନ ସାମଗ୍ରୀ ଏବଂ ରାସାୟନିକ ପଦାର୍ଥ ନେଇ ସିଙ୍ଗାପୁର ଯାଉଥିଲା । ଅନ୍ୟପଟେ ନିଆଁକୁ ଆୟତ୍ତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଉପକରଣ ସହିତ ଏକ ସ୍ୱତନ୍ତ୍ର ଡଚ୍ ବିମାନ ବର୍ତ୍ତମାନ ଶ୍ରୀଲଙ୍କାରେ ପହଞ୍ଚିବ ବୋଲି ଶ୍ରୀଲଙ୍କାର ପରିବହନ ମନ୍ତ୍ରୀ ରୋହିତ ଆବେଗୁନାୱାର୍ଡେନା କହିଛନ୍ତି।

Related Posts