ଅକ୍ଷୟ କୁମାରଙ୍କ ବଦାନ୍ୟତା : ୩୬୦୦ ଡ୍ୟାନ୍ସରଙ୍କୁ ପ୍ରତି ମାସ ମାଗଣା ରାସନ୍ ଦେଵେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ୍-୧୯ ର ଦ୍ୱିତୀୟ ଲହର ପୁଣିଥରେ ଲୋକମାନଙ୍କୁ ବିଭିନ୍ନ ସମସ୍ୟାକୁ ଠେଲି ଦେଇଛି । ଅନେକ ଲୋକ ବେରୋଜଗାର ହୋଇଯାଇଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିରେ ମାମଲା ବୃଦ୍ଧି ହେତୁ ସୁଟିଂ ବନ୍ଦ ହୋଇଯାଇଛି। ଏଭଳି ଅସୁବିଧା ସମୟରେ ଅଭିନେତା ଅକ୍ଷୟ କୁମାର ସହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ସେ ୩୬୦୦ ଡ୍ୟାନ୍ସରଙ୍କୁ ପ୍ରତି ମାସରେ ମାଗଣା ରାସନ ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏନେଇ ବଲିଉଡର ଜଣାଶୁଣା କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ନିକଟରେ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି । ଗଣେଶ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ଅକ୍ଷୟ ପ୍ରତି ମାସରେ ଇଣ୍ଡଷ୍ଟ୍ରିର ୩,୬୦୦ ନୃତ୍ୟଶିଳ୍ପୀଙ୍କୁ ମାଗଣା ରାସନ ପ୍ରଦାନ ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି। କୋରିଓଗ୍ରାଫର ଗଣେଶ କହିଛନ୍ତି, ଅକ୍ଷୟ ତାଙ୍କର ୫୦ ତମ ଜନ୍ମଦିନରେ ତାଙ୍କୁ କଣ ସାହାଯ୍ୟ କରିପାରିବେ ବୋଲି ପଚାରିଥିଲେ। ଏହା ପରେ ଗଣେଶ ଅକ୍ଷୟଙ୍କୁ ଇଣ୍ଡଷ୍ଟ୍ରିର ୧,୬୦୦ ଜୁନିଅର ନୃତ୍ୟଶିଳ୍ପୀ ଏବଂ ୨,୦୦୦ ବ୍ୟାକଗ୍ରଉଣ୍ଡ୍ ନୃତ୍ୟଶିଳ୍ପୀଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ଅକ୍ଷୟ ଗଣେଶଙ୍କ ଅନୁରୋଧ ଗ୍ରହଣ କରିଥିଲେ। ଗଣେଶ ଆହୁରି କହିଛନ୍ତି, ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ଏହି ଅଭିଯାନ ଆରମ୍ଭ ହେବ । ଡ୍ୟାନ୍ସର ମାନଙ୍କୁ ପ୍ରତି ମାସରେ ଟଙ୍କା କିମ୍ବା ରାସନ କିଟ୍ ପାଇବେ । ଗଣେଶ କହିଛନ୍ତି ଯେ ‘ମୋ ପତ୍ନୀ ଗଣେଶ ଆଚାର୍ଯ୍ୟ ଫାଉଣ୍ଡେସନ ମାଧ୍ୟମରେ ଏହି କାମ ସହ ଜଡିତ ଅଛନ୍ତି। ସେ ବ୍ୟକ୍ତିଗତ ଭାବେ ପ୍ୟାକିଂ ଏବଂ ବିତରଣର ତଦାରଖ କରୁଛନ୍ତି ।ତେବେ ଏହା ପ୍ରଥମ ଥର ନୁହେଁ, ଏହାପୂର୍ବରୁ ମଧ୍ୟ ଅକ୍ଷୟ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ସେ କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ୍ କନସେନଟ୍ରେଟରର ବ୍ୟବସ୍ଥା କରିଥିଲେ । ସେହିପରି କ୍ରିକେଟର ତଥା ରାଜନେତା ଗୌତମ ଗମ୍ଭୀରଙ୍କ ଫାଉଣ୍ଡେସନକୁ ଏକ କୋଟି ଟଙ୍କା ପ୍ରଦାନ କରିଥିଲେ। ଗତ ବର୍ଷ ମଧ୍ୟ କରୋନା କାଳରେ ଅକ୍ଷୟ ପିଏମ କେୟାର ଫଣ୍ଡରେ ୨୫ କୋଟି ଟଙ୍କା ଦାନ କରିଥିଲେ।

Related Posts