ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ : ଏସ୍ଆରସି

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟାସ୍’ର ସମ୍ପୂର୍ଣ୍ଣ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି ।ଏ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ବାତ୍ୟା ଏବେ ସ୍ଥଳଭାଗରେ ଆଗକୁ ଆଗକୁ ମାଡ଼ି ଚାଲିଛି । ବର୍ତ୍ତମାନ ଭଦ୍ରକ, ବାଲେଶ୍ଵରର ବହାନଗା, ସଦର, ରେମୁଣାରେ ବର୍ଷାର ପରିମାଣ କମିଛି । ଏସ୍ଆରସିଙ୍କ ସୂଚନା ମୁତାବକ ନୀଳଗିରିରେ ବର୍ଷା ଓ ପବନ ବଢୁଛି ଏବଂ ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ଜିଲ୍ଲାରେ ବଡ଼ ଧରଣଣ କ୍ଷୟକ୍ଷତି ହୋଇଛି । କିଛି କିଛି ସ୍ଥାନରେ ଗଛ ଉପୁଡି ପଡ଼ିଥିବା ବେଳେ ନୀଳଗିରିରେ ଅଧିକ ଗଛ ଭାଙ୍ଗିଛି । ବାତ୍ୟା “ୟାସ୍” ୨ ଘଣ୍ଟା ମଧ୍ୟରେ ବାଲେଶ୍ଵରରୁ ବାହାରି ମୟୁରଭଞ୍ଜ ଆଡକୁ ଅଗ୍ରସର ହେବ । ବାତ୍ୟା ଉପକୂଳ ଅତିକ୍ରମ କରିଥିବା ବେଳେ ସର୍ବାଧିକ ୧୩୦ ରୁ ୧୪୦ କିମି ପବନ ହୋଇଛି। ସେହିଭଳି କେନ୍ଦୁଝରରେ ଲୋକଙ୍କ ଉପରେ ଗଛ ପଡ଼ିଥିବା ସୂଚନା ରହିଥିବା ନେଇ ଏସ୍ଆରସି କହିଥିବା ବେଳେ ଜିଲ୍ଲାପାଳ ଏ ନେଇ ରିପୋର୍ଟ ଦେବେ ବୋଲି ସେ କହିଛନ୍ତି । ବହନଗା, ରେମୁଣା, ବାଲେଶ୍ଵର ସଦର, ଧାମରାର ଅନେକ ସ୍ଥାନରେ ପାଣି ପଶିଛି । ତେବେ ଦିନେ ଦୁଇ ଦିନ ଭିତରେ କ୍ଷତିର ଆକଳନ କରାଯିବ ବୋଲି ଏସ୍ଆରସି କହିଛନ୍ତି। ତେବେ ସବୁଠାରୁ ବଡ କଥା ହେଉଛି ଏ ପର୍ଯ୍ୟନ୍ତ କୌଣସି ସ୍ଥାନରେ ମୋବାଇଲ ସେବା ଠପ୍ ହୋଇନଥିବା ଏସ୍ଆରସି ସୂଚନା ଦେଇଛନ୍ତି।

Related Posts