ଶ୍ରୀକ୍ଷେତ୍ରରେ ଟ୍ରଲିରେ ବନ୍ଧା ହୋଇ ବୁହାହେଲେ ଚତୁର୍ଦ୍ଧାମୂର୍ତ୍ତି, ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବାଲେଶ୍ବରରେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ଏକ ଡାଲା ଅଟୋ ପଛରେ ଅପମାନଜନକ ଭାବେ ବାନ୍ଧି ନେବାର ଦୃଶ୍ୟ ଚାରିଆଡ଼େ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ଭିଡ଼ିଓ ଭାଇରାଲ ହେବାପରେ ଜଗନ୍ନାଥ ପ୍ରେମୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାପରେ ନିଜର ଏଭଳି କର୍ମ ପାଇଁ ସମ୍ପୃକ୍ତ ଟେଣ୍ଟ୍‌ ମାଲିକ ଓ ଅନ୍ୟ କର୍ମଚାରୀମାନେ ମନ୍ଦିରରେ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ। ତେବେ ବର୍ତ୍ତମାନ ପୁଣି ଶ୍ରୀକ୍ଷେତ୍ରରେ ଏହି ଘଟଣାର ପୁନରାବୃତ୍ତି ଘଟିଛି। ସେ ପୁଣି ଶ୍ରୀମନ୍ଦିର ସିଂହଦ୍ବାର ଆଗରେ। ଜଣେ ବ୍ୟକ୍ତି ନିଜ ଟ୍ରଲିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରତିମୂର୍ତ୍ତିକୁ ବାନ୍ଧି ବଡ଼ଦାଣ୍ଡରେ ଯିବା ଦୃଶ୍ୟ ସାମ୍ନାକୁ ଆସିଛି। ଏନେଇ ଏକ ଭିଡ଼ିଓ ଭାଇରାଲ ହେବାପରେ ଏହା ଅଗଣିତ ଭକ୍ତଙ୍କୁ ଦୁଃଖ ଦେଇଛି। ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ଶ୍ରୀକ୍ଷେତ୍ରରେ ଏଭଳି ଦୃଶ୍ୟକୁ ବିଭିନ୍ନ ମହଲରେ ଦୃଢ଼ ନିନ୍ଦା କରାଯାଇଛି। ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ତୁରନ୍ତ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି।

ମଙ୍ଗଳବାର ଅପରାହ୍ନରେ ଏହି ଟ୍ରଲି ଚାଳକ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ପ୍ରଭୁ ସୁଦର୍ଶନଙ୍କୁ ଏକ କପଡ଼ା ଧଡ଼ିରେ ବାନ୍ଧି ବଡ଼ଦାଣ୍ଡରେ ସିଂହଦ୍ବାରରୁ ଦୋଳବେଦି କୋଣ ଦେଇ ଯାଉଥିବାର ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ରିକ୍ସା ଚାଳକଙ୍କୁ ପଚାରିବାରେ ସେ ବାଲିସାହିରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନେଇ ଫେରୁଥିବା କହିଥିଲେ। ତେବେ ଜଣେ ଟେଣ୍ଟ ମାଲିକ ତାଙ୍କୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନେବାକୁ କହିଥିଲେ ବୋଲି ସେ କହିଥିଲେ। ଏହି ସମୟରେ କିଛି ଭକ୍ତ ତାଙ୍କୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ କପଡ଼ା ଘୋଡ଼ାଇ ନେବାକୁ ବି ପରାମର୍ଶ ଦେଇଥିଲେ। କିନ୍ତୁ, ସଂପୃକ୍ତ ଚାଳକ ଏହାକୁ ଖାତିର କରିନଥିଲେ। ପରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଟେ୍‌ଣ୍ଟ ମାଲିକ ଓ ଅନ୍ୟମାନେ ଏ ନେଇ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି ହୋଇଛି।

Related Posts