
କେନ୍ଦ୍ରାପଡ଼ା କ୍ରେଡିଟ କୋଅପରେଟିଭ ସୋସାଇଟିର ସଭାପତି ତଥା ପୂର୍ବତନ ବିଜେଡି ସମ୍ପାଦକ ପ୍ରମୋଦ ସାହୁଙ୍କ ବିରୋଧରେ ଯୌନ କେଳେଙ୍କାରୀ ଅଭିଯୋଗ ମାମଲାକୁ ନେଇ ହଟଚମଟ । ଜିଲ୍ଲା ପୋଲିସର ସ୍ଥାଣୁତାକୁ ନେଇ ରାଜ୍ୟ ପୋଲିସ ମାନବାଧିକାର ସେଲ୍ ଏଡିଜି ଏସ୍.ଏମ୍ ନରଭଣେଙ୍କୁ ଭେଟି ଅଭିଯୋଗ କଲେ ପୀଡ଼ିତା । ତଦନ୍ତ ପ୍ରକ୍ରିୟାରେ ଶିଥିଳତାକୁ ନେଇ ଏସ୍ପିଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ଏଡିଜି ଶ୍ରୀ ନରଭଣେ । ଯୌନ ଶୋଷଣ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ କାହିଁକି ତଦନ୍ତ ପ୍ରକ୍ରିୟା ବିଳମ୍ବ ହେଲା ଏବ˚ ପୀଡ଼ିତାଙ୍କୁ ନ୍ୟାୟ ପାଇଁ କାହିଁକି ବିଭିନ୍ନ ଫୋରମ୍କୁ ଯିବାକୁ ପଡ଼ିଲା ତାହାର କାରଣ ଜଣାଇବାକୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପୋଲିସ ମାନବାଧିକାର ସେଲ୍ ।
ଘଟଣାଟି ଏହିଭଳି, ଯେ ଅଫିସ୍ରେ ସହକର୍ମୀ ଯୁବତୀଙ୍କୁ ବିଭିନ୍ନ ବାହାନାରେ ଫୋନ ଓ ଭିଡିଓ କଲ୍ କରି ନିକଟତର ହେବାକୁ ଉଦ୍ୟମ ସହ ବାରମ୍ବାର ଚ୍ୟାମ୍ବରକୁ ଡାକି ମାନସିକ ଓ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ ପୀଡ଼ିତା । ଏଥିରେ ଅତିଷ୍ଠ ହୋଇ ପ୍ରମୋଦଙ୍କ ସହ କଥାବାର୍ତ୍ତାର ଅଡିଓ ରେକର୍ଡିଂ ଦାଖଲ କରି ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ । ଠିକ୍ ଏତିକି ବେଳେ ଜଣେ ଯୁବତୀ ଓ ପୁରୁଷଙ୍କ ବାର୍ତ୍ତାଳାପ ଅଡିଓ ଭାଇରାଲ ହୋଇଛି । ଏହା ପୀଡ଼ିତା ଓ ପ୍ରମୋଦ ବାର୍ତ୍ତାଳାପର ଅଡିଓ ବୋଲି ଚର୍ଚ୍ଚା ହେଉଛି । ଅସଦାଚରଣ ନେଇ ଗତ ଏପ୍ରିଲ ୩୦ରେ ପୀଡ଼ିତା ପ୍ରମୋଦଙ୍କ ବିରୋଧରେ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଶାରୀରିକ ସମ୍ପର୍କର ନରଖିଲେ ହତ୍ୟା ଓ ଦୁଷ୍କର୍ମ କରିବାକୁ ସଭାପତି ଧମକ ଦେଇଥିବା ପୀଡ଼ିତା କହିଛନ୍ତି । ପୀଡ଼ିତା କୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ମାମଲାର ଶୁଣାଣି କରି ଗତ ଜୁଲାଇରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରିବା ପାଇଁ ଟାଉନ ଥାନାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।
ସେପଟେ କେନ୍ଦ୍ରାପଡ଼ା କ୍ରେଡିଟ କୋଅପରେଟିଭ ସୋସାଇଟି ପକ୍ଷରୁ ପୀଡ଼ିତାଙ୍କ ବିରୋଧରେ ପାଲଟା ଅଭିଯୋଗ ହୋଇଛି । ବଦଳି ରୋକା ନଯିବାରୁ ପୀଡ଼ିତା ମିଥ୍ୟା ଅଭିଯୋଗ ଆଣିଥିବା ସମବାୟ ସଂସ୍ଥାର କର୍ମଚାରମାନେ ଅଭିଯୋଗ କରିଛନ୍ତି । ଏନେଇ ପୀଡ଼ିତାଙ୍କ ବିରୋଧରେ ମଧ୍ୟ ଏକ ଏତଲା ଦିଆଯାଇଛି । ଅଡିଓ ଭିଡିଓ କଲ୍ର ରେକର୍ଡ ଯାଞ୍ଚ ସହ ଉଭୟ ପକ୍ଷରୁ ଅଭିଯୋଗର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସ୍ପି । ସୂଚନା ଅନୁସାରେ ଗତ ଜୁନ୍ରେ ଯୁବତୀ ଜଣଙ୍କ ସଂସ୍ଥାର ସମ୍ପାଦକଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିବା ବେଳେ ସଂସ୍ଥା ତରଫରୁ ତାଙ୍କୁ ଶୀଘ୍ର ଚାକିରିରେ ଯୋଗଦେବାକୁ ଚିଠି ପଠାଯାଇଥିଲା । ପରେ ଅଗଷ୍ଟରେ ଚାକିରିରୁ ବିଦା ହୋଇଥିଲେ ପୀଡ଼ିତା ।
ଗତ ତିନି ମାସ ହେବ ଏହି ମାମଲାରେ ଶୋଇ ପଡ଼ିଥିବା କେନ୍ଦ୍ରାପଡ଼ା ପୁଲିସ ଆଜି ହଠାତ୍ ଚେଇଁ ଉଠିଛି । ଅତିରିକ୍ତ ଏସ୍ପି ଅମିତା ପଟ୍ଟନାୟକ ପୀଡ଼ିତାଙ୍କୁ ଏସ୍ପିଙ୍କ କାର୍ଯ୍ୟାଳୟକୁ ଡାକି ଘଟଣା ସମ୍ପର୍କରେ ପଚରାଉଚରା କରିଛନ୍ତି । ଟାଉନ ଥାନାକୁ ବି ପୀଡ଼ିତାଙ୍କୁ ଡାକି ତାଙ୍କ ସହ ଆଲୋଚନା କରିଛି ପୋଲିସ । ପୀଡ଼ିତା କାର୍ଯ୍ୟ କରୁଥିବା ସମ୍ପୃକ୍ତ ସୋସାଇଟି ଅଫିସକୁ ଯାଇ ପୋଲିସ ତଦନ୍ତ କରିବ ବୋଲି ଜଣାପଡ଼ିଛି ।